ତୁମେ ବିଶ୍ୱାସ ବିସ୍ମୟ କଳିକା
ତୁମେ ବିଶ୍ୱାସ ବିସ୍ମୟ କଳିକା
ତୁମେ ତ ଗଢିଛ ପୂଣ୍ୟର ସାମ୍ରାଜ୍ୟ
ସତ୍ୟ ଅହିଂସାର ପଥ
ଗଢିଛ ବି ତୁମେ ପାପର ପସରା
ମିଥ୍ୟା ମରୀଚିକା ହାଟ ll
ତୁମେ ତ ଭରିଛ ଫୁଲ ପାଖୁଡ଼ାରେ
କେଡ଼େ ମୁଲାୟମ ସ୍ପର୍ଶ
ଗଢିଛ ବି ତୁମେ ପାଦପ ରେ କଣ୍ଟା
ମିଳେ ଯହିଁ ଖାଲି କ୍ଳେଶ ll
ତୁମେ ତ ଦେଇଛ କେତେ ହୃଦୟରେ
ଅତି ଅପଣାର ଭାବ
ତଥାପି କେଉଁଠି ମଣିଷପଣିଆ
ହୁଏ ନାହିଁ ଅନୁଭବ ll
ତୁମେ ଦେଖାଇଛ ଆଲୋକ ବର୍ତ୍ତିକା
ସ୍ନେହ ପ୍ରେମ ଦୟା କ୍ଷମା
ତୁମେ ବି ଗଢିଛ ନିର୍ଦ୍ଦୟ ନିଷ୍ଠୁର
ଘୋର ନୈରାଶ୍ୟ କାଳିମା ll
ତୁମ ହାତ ଗଢ଼ା ସଂସାର ବାଟିକା
ରହସ୍ୟ ତରଙ୍ଗେ ଭରା
ଯେତେ ଦେଖୁଥିଲେ ଅଦୃଶ୍ୟ ଅବୁଝା
କେବେ ଛାଇ କେବେ ଖରା ll
ଏ ସାରା ବିଶ୍ୱର ପ୍ରତିଟି ଅଣୁରେ
ତୁମେ ତ ରହିଛ ଛପି
କିଏ ବା କଳିବ ତୁମ ପରାଭବ
ତୁମେ ପରା ସର୍ବବ୍ୟାପୀ ll
ତୁମେ ତ ଦେଇଛ ଅଗ୍ନିରେ ଉତ୍ତାପ
ଦିବସେ ସୌର କିରଣ
ଦେଇଛ ବି ତୁମେ ଶୀତଳ ଜୋଛନା
ଶଶାଙ୍କର ଶାନ୍ତ ପଣ ll
ଶୀତଳ ସମୀରେ ମାଦକତା ଭରି
ତୁମେ ତ ଯାଉଛ ବହି
ଘୋର ବରଷାରେ ତୁମେ ବି ବର୍ଷୁଛ
କେତେ ବିଭୀଷିକା ନେଇ ll
ଶିଶୁର ଅଧରେ ତୁମେ ତ ଦେଇଛ
କେଡ଼େ ମନଲୋଭା ହସ
ତୁମେ ବି ଦେଇଛ ପ୍ରତିଟି ପ୍ରାଣରେ
ପ୍ରେମର ନିବିଡ଼ ସ୍ପର୍ଶ ll
ତୁମେ ବି ଗଢିଛ ଅନ୍ୟାୟ ଅସତ୍ୟ
ଅଧର୍ମର କ୍ରୀଡ଼ାଙ୍ଗନ
ଗଢିଛ ବି ତୁମେ ସ୍ଥାବର ଜଙ୍ଗମ
ସୁଖ ଦୁଃଖ ରାତିଦିନ ll
ଚିତ୍ରକର ତୁମ ତୁଳୀର ପରଶ
ବିଶ୍ୱ ପରଦାରେ ଶୋହେ
ତୁମ ବିନା ପ୍ରଭୁ ଉର୍ମି ବି ଉଠେନି
ବିଶାଳ ସାଗର ଦେହେ ll
କରି କରାଉଛ ଅନ୍ତର୍ଯ୍ୟାମୀ ତୁମେ
ଭଲ ମନ୍ଦ ଭାବ ନେଇ
କି ପାଇଁ ଲଦୁଛ ଆନ ପରେ ଦୋଷ
ଅଭାବ କଷଣ ଦେଇ ll
ତୁମେ ଏ ସୃଷ୍ଟି ର ପ୍ରେମମୟ ସ୍ରଷ୍ଟା
ପ୍ରାପ୍ତିର ପୂଣ୍ୟତୋୟା
ବିଶ୍ୱାସର ତୁମେ ବିସ୍ମୟ କଳିକା
ଅପ୍ରାପ୍ତିର ଶୂନ୍ୟ କାୟା ll
ଶ୍ରୀଚରଣେ ତଵ ଢାଳୁଛି ପ୍ରଣତି
ଦୋଷ ମୋର ଧରିବନି
ଟିକିଏ କରୁଣା ଚିମୁଟାଏ ପ୍ରେମ
ଲଭି ହେବି ସ୍ୱର୍ଗଗାମୀ ll
ଆତ୍ମା ପରମାତ୍ମା ମିଳନ ହୋଇବ
ତୁମରି କଲ୍ୟାଣ ପାଇ
ସଂସାର ସାଗରୁ ତରିଯିବି ପ୍ରଭୁ
ତଵ ଶ୍ରୀଚରଣ ଧ୍ୟାୟୀ ll
