ତୁମେ ଅନନ୍ତ ଈଶ୍ଵର
ତୁମେ ଅନନ୍ତ ଈଶ୍ଵର
ସବୁତ ତୁମରି ଇଛାରେ ଠାକୁର
ଯା’ହେଉଛି ଯାହା ହେବ
ସବୁ ତବ କୃପା ତୁମରି ଦୟାରେ
ହେଉଛି ସବୁ ସମ୍ଭବ
ଚିନ୍ତାକରେ କିଆଁ ଏତେ
କେତେ ମାତର ୟେ ଜୀବନ ନାଟିକା
ସବୁତ ତୁମରି ହାତେ ।।
ଅଢେଇ ଦିନର ଖେଳ ୟେ ସଂସାର
ମିଛ ମାୟା କାରବାର
କିଏ ବା କାହାର ଏମିତି ୟେ ଖେଳ
ଲଗାଇଛ ମାୟାଧର
ଚକ୍ର ବୁଲାଉଛ ଚକ୍ରି
କାହାକୁ ଦେଉଛ ସୁବର୍ଣ୍ଣ କଳସ
କାହାକୁ କରିଛ ଦୁଃଖି ।।
ସଂସାରର ରଙ୍ଗମଞ୍ଚରେ ନାଟକ
ଅଭିନେତା ସଜାଇଛ
କେତେ ପରକାର ରଙ୍ଗ ମାଖି ଦେଇ
ମଞ୍ଚ ପରେ ନଚାଉଛ
କେବେ କେଉଁ ଅଭିନୟ
କରାଉଛ କୁହ କାହିଁକି ଠାକୁର
ହଜିଯାଏ ପରିଚୟ ।।
ଦୁଃଖି ଡାକେ ରଙ୍କି ଡାକୁଥାଏ ପ୍ରଭୁ
ଡାକୁଛନ୍ତି କୋଟିପତି
କା ଡାକ ଶୁଣୁଛ କେମିତି ପ୍ରକାରେ
ଡାକନ୍ତି ତ ମନ୍ଦ ମତି
କାଡାକ କୁ କେଉଁ ଭାବେ
ଶୁଣ ବୈକୁଣ୍ଠାଧିପତି ମହୀପତି
କିଏ ତୁମ ନାମେ କାନ୍ଦେ ।।
ଆହେ ଇଚ୍ଛାମୟ ତୁମ ଇଚ୍ଛା ଯେବେ
ଏମିତି ନଚାଇବାକୁ
କିଏ ବା ଅଛି ଏ ଜଗତେ ଏମିତି
ତାହା ବଦଳାଇ ବାକୁ
ତୁମ ଇଛା ପୂର୍ଣ୍ଣ କର
ହେ ଅନନ୍ତମୟ ଅନ୍ତ ନାହିଁ ତୁମ
ତୁମେ ଅନନ୍ତ ଈଶ୍ଵର ।।