ତୁମ ପ୍ରତୀକ୍ଷାରେ ଆମେ
ତୁମ ପ୍ରତୀକ୍ଷାରେ ଆମେ


ଗ୍ରୀଷ୍ମର ଉତ୍ତାପେ ଦହୁଅଛି ଦେହ,
ଲୋଡା ଟିକେ ଶିତଳତା ।
ତୁମେ କ'ଣ ବର୍ଷା ଦେବନାହିଁ ଦେଖା ?
ମନେପଡେ ତୁମ କଥା ।।
ମୟୁର ନାଚୁଛି କେତେ ରଙ୍ଗେ ଦେଖ,
ବନରେ ପୁଛକୁ ମେଲି ।
କାହିଁକି ବିଳମ୍ବ କରୁଅଛ ତୁମେ,
ତୁମକୁ ଝୁରେ ସେ ଖାଲି ।।
ଅବନୀ ଚାହୁଁଛି ପିନ୍ଧିବାକୁ ଟିକେ,
ସବୁଜ ରଙ୍ଗର ଶାଢୀ ।
ତୁମ ସେ ସ୍ପର୍ଶରେ ଭିଜେଇ ଦିଅ ହେ,
କଅଁଳୁ ଫୁଲର କଢି ।।
ଚାଷୀଟିଏ ପରା ତୁମ ବାଟ ଚାହିଁ,
କ୍ଷେତରେ ବୁଣିଛି ଶସ୍ଯ ।
ତୁମେ ନ ଆସିଲେ ଚଷା ପୁଅ ଓଠେ,
ଫୁଟି ପାରିବକି ହସ ?
ଭିଜା ମାଟିଟିର ବାସନା ପାଇଁକି,
ପଡିଗଲୁ ତୁମ ପ୍ରେମେ ।
କେବେ ଆଉ ତୁମେ ପହଞ୍ଚିବ ଆସି ?
ତୁମ ପ୍ରତୀକ୍ଷାରେ ଆମେ ।।