ତୁମ ପାଇଁ
ତୁମ ପାଇଁ
ତୁମେ ଚାଲିଯିବା ପରେ ପରେ,
କାହିଁକି କେଜାଣି କୋହ ମାନେ ଉକାରି ଆସନ୍ତି ,
ଲୁହ ସବୁ ମୋହଗ୍ରସ୍ତ ହେଇ ଆତ୍ମଗୋପନ କରନ୍ତି ,
ଅନେକ ବଜ୍ରପାତ , ଭୂମିକମ୍ପର ସମାହାରରେ !
ବାରମ୍ବାର ବଜ୍ରପାତ,ଅସହ୍ୟ ଘଡଘଡି ,
ଭୂମିକମ୍ପର ଆଗତ ପୂର୍ବାନୁମାନରେ ମୁଁ ବଞ୍ଚେ ,
ମୋହ ମେଞ୍ଚେ ନେଇ ।
କାଳେ ତୁମେ ଫେରିଆସି କହିଦେବ ବୋଲି -
"ଆଉ ନୁହେଁ , ଛାଡ ଏ ବାନପ୍ରସ୍ଥ ,
ଦେଖ ଏଇ ମୁଁ ଯେ ଫେରିଆସିଲି !"
ମୁଁ ଅପେକ୍ଷା କରେ ,
ବସ୍ତା ବସ୍ତା ସରିଯାଇଥିବା ଖାତା ଭିତରେ !
ଯେଉଁଠି ସାଇତା ହେଇ ରହିଛି ଆମ ସ୍ମୃତି! !
କାଳେ ତୁମେ ଉଠି ଆସିବ ,
ପୁଣି ମୁଁ ଧରିବି ମୋ ଚିରାଚରିତ ବେଶ ।
ନା , ତୁମେ ଆଉ ଆସନା !
ଆମ କଥା ସବୁ ରହିଯାଏ ଶବ୍ଦରେ ,
ଅତୀତରେ ଲେଖାଥିବା ବାଦାମୀ ରଙ୍ଗର କାଗଜରେ !
ମୁଁ ପୁଣି ଡାଏରୀ ଲେଖେ ,
ତୁମେ ଆସିବାର ଆଗତ ଭବିତବ୍ୟକୁ ନେଇ ,
ଭବିଷ୍ୟତ ସବୁ ମିଥ୍ୟା ଆଶଙ୍କାରେ ଅତୀତ ପାଲଟେ ,
ଭୟ ଲାଗେ !
ସମୟଟା ଏଠି ପରା ନିତି ମୋ ପାଇଁ ମାୟାଜାଲ ରଟେ !
୦-୦-୦
