ତୁମ କଥା ଯେବେ ମନେପଡେ
ତୁମ କଥା ଯେବେ ମନେପଡେ
ତୁମ କଥା ଯେବେ ମନେପଡେ
ଆଖିର ଝରଣା ଛଳଛଳ ହୋଇ
ବନ୍ଧ ଡ଼େଇଁ ଆସେ ଧୀରେ ଧୀରେ
ହୃଦୟ ସାଗର ଗଭୀର ଗଣ୍ଡରୁ
କୋହ ଉଠି ଆସେ ଧୀରେ ଧୀରେ।
ତୁମ କଥା ଯେବେ ମନେପଡ଼େ
ମନ ଆଇନାରେ ଅତୀତର ଛବି
ଉଙ୍କି ମାରୁଥାଏ ଧୀରେ ଧୀରେ
ସାଦା କାଗଜରେ ତୁମ ମୁଖଶଶୀ
ଆଙ୍କି ହୋଇଯାଏ ଧୀରେ ଧୀରେ।
ତୁମ କଥା ଯେବେ ମନେପଡେ
ସ୍ମୃତିର ପରଦା ଆଢୁଆଳେ ରହି
ସମୟଟା ହସେ ଧୀରେ ଧୀରେ
ବିରସ ମନରେ ଅବ୍ୟକ୍ତ ବେଦନା
ଫୁଟି ଉଠୁଥାଏ ଧୀରେ ଧୀରେ।
ତୁମ କଥା ଯେବେ ମନେପଡେ
ଶାନ୍ତ ମନରେ ଅଶାନ୍ତ ଜୁଆର
ଆସି ଫେରିଯାଏ ଧୀରେ ଧୀରେ
ହଜିଲା ସପନ ଢେଉ ସାଥେ ଆସି
ପାଦ ଛୁଇଁଯାଏ ଧୀରେ ଧୀରେ।
ତୁମ କଥା ଯେବେ ମନେପଡେ
ଗୀତ ହୋଇ ଆମ ଜୀବନ କାହାଣୀ
ଲେଖି ହୋଇଯାଏ ଧୀରେ ଧୀରେ
ନିଃସ୍ୱ ହୃଦୟର ଶୁନ୍ୟତା ମଧ୍ୟରେ
ପୂର୍ଣ୍ଣତା ଆସେ ଧୀରେ ଧୀରେ ।
