ତୁମ କାମ ସବୁ ସରି ଗଲା ?
ତୁମ କାମ ସବୁ ସରି ଗଲା ?
ତୁମେ ଯେବେ
କଥା ହେବା ପାଇଁ ବାରମ୍ବାର ଫୋନ କର
ମୁଁ ତାଗିଦ କରେ ତୁମକୁ
ମୋ କାମକୁ ନେଇ ଆତ୍ମଗର୍ବରେ କୁହେ,
"ପେଟ ପାଟଣା ଭୁଲି
ସଡକରେ ବୁଲୁଥିବା
ମଜନୁ ନୁହେଁ ମୁଁ "
"ତୁମ କାମ ସରି ଗଲା ?"
ମତେ ହଜାର ଥର
ପଚାରି ନ ଥିବ ଏ କଥା?
ନିର୍ବୋଧ ମୁଁ ସେତେବେଳେ ବୁଝି ନ ଥିଲି
ମୋର କାମ ସରେ ବା ନ ସରେ
ତୁମର ଯାଏ ଆସେ କେତେ
ତୁମେ ତ ଜାଣିବାକୁ ଚାହୁଁଥିଲ
ଯଦି ମୁଁ ଖାଲି ବସିଥାଏ
ତୁମେ ଗପି ପାରିବ
ମନ କଥା ଯେତେ
ଯେତେ ଯେତେ ସ୍ୱପ୍ନ ଓ ଆଶଙ୍କା
ଆଉ ସବୁ ପ୍ରେମୀ ଯୁଗଳଙ୍କ ପରି
କିଛି ସତ, କିଛି ମିଛ
ନିରର୍ଥକ ମିଠାକଥା
କେବେ ସରିଗଲେ ଅନେକ ଶ୍ରାବଣ
ହୋଲି ର ସେ ରଙ୍ଗ ଖେଳ
ସତରେ ମୁଁ ଭୁଲି ଗଲି
ତାରା ଖଚିତ ଆକାଶ
ଜାଣିନି କେବେ ହଜିଗଲେ
ଜୀବନରୁ ପୁନେଇଁ ପରବ
ଶୀତରେ ବି କେତେଥର
ଅନୁଭବି ପାରିନି ଶୀତକୁ
କେଉଁଠି ଦେଖିପାରିଲି
କୋରାପୁଟର ପାହାଡ଼ରୁ
ଓହ୍ଲେଇ ଆସୁଥିବା ସଞ୍ଜ
ଚିଲିକାର ସ୍ବର୍ଣ୍ଣାଭ ସକାଳ
ଆସିଥିଲା ଶତ ବାର
କୁହୁ କୁହୁ ବାସନ୍ତୀ ପ୍ରହର
ଦେଖିବାକୁ କେବେ ଥିଲା ବେଳ
ସତରେ ସରି ଗଲେ ଦିନ ସବୁ
ସରିଲାନି ମୋ ଲେମ୍ବୁଲୁଣ କାମ !
ଛୁଆଙ୍କୁ ପାର୍କକୁ ନେବି ନେବି ବୋଲି
ଛୁଆ ସବୁ ବଡ଼ ହୋଇଗଲେ କେବେ
କେବେ ପାଚିଗଲା ବାଳ
କାମ କିନ୍ତୁ ସରିଲାନି
ଭୁଲି ଯାଇଥିଲି କେବେ
କୋହଳ ହୋଇଥିଲା ତୁମ ଦେହ
ଶେଷ ଥର କେବେ ତୁମେ
ମେହେନ୍ଦୀ ରଚାଇ ଥିଲ
ଅବା କେବେ ସାଙ୍ଗ ହୋଇ ଆମେ
ସିନେମାକୁ ଯାଇଥିଲେ
ଅନୁମାନ କରେ କେବଳ
ତୁମେ କିପରି ଅପେକ୍ଷା କରି ବସିଥିବ
କେତେ ଗ୍ରୀଷ୍ମ, ଶରତ ଆଉ ବର୍ଷା ସଞ୍ଜ
ଦେଖୁଥିଲ ଆକାଶରେ ହଳ ହଳ
ହୋଇ ବୁଲୁଥିବା ପକ୍ଷୀ
ପୂରା ହାତ ଚୁଡ଼ି ପିନ୍ଧି
ପାର୍କକୁ ଆସିଥିବା
କେଉଁ ନବ ବିବାହିତାକୁ
ଦେଖି ଭାବୁଥିଲ
ବ୍ୟର୍ଥ ଯାଇଥିବା ଯେତେ ତୁମ ଦିନ ରାତି
ସେଥର ମନ ମାରି କହିଥିଲ
ତୁମ ପଟୁ ମତେ ଆଉ ଫୋନ କରିବନି
କିନ୍ତୁ ତମ ରୁଷା ଆଉ ମନ ମାରିବାକୁ
ସମବେଦନା ଜଣାଇ
ମୋ ପଟୁ ବି ମୁଁ ଫୋନ କଲି କେଉଁଠି ?
ନିଜକୁ କକ୍ଷଚ୍ୟୁତ କରି
ମୂର୍ଖ ପରି ଏବେ ଖୋଜୁଛି
ଜୀବନର ରାସ୍ତା
ଜାଣିଛି, ତୁମ ସାମ୍ନାକୁ
ଯଦି ଅଚାନକ ଏହିକ୍ଷଣି ଆସିଯାଏ
ତୁମେ ଆକ୍ତାମାକ୍ତା ହୋଇଯିବ
ତୁମ ଅନଭ୍ୟସ୍ତ ହାତ ପାଦ
ପୁଣି ଥରେ ଚଞ୍ଚଳ ହୋଇ
କିଚେନ ଭିତରକୁ ଧାଇଁ ଯିବେ ।
