ତୁଳସୀ
ତୁଳସୀ
ତୁଳସୀ ମସ୍ତକେ ସ୍ଥାନ ପାଉଛନ୍ତି
ହୋଇଛନ୍ତି ଅତିପ୍ରିୟ
ଯାହାଙ୍କ ମହତ୍ତ୍ୱେ ଏ ସାରା ସଂସାର
ଦିଶେ ଜଗନ୍ନାଥ ମୟ ।
ଅନାଇ ଦେଲେ ସେ କଳା ବଦନକୁ
ଦୁଃଖ ଯାଏ ଦୂର ହୋଇ
ତୁଳସୀ ମହକେ ମହକିତ ହୋଇ
ଅବଢ଼ା ଅନ୍ନ ବାସଇ ।
ଇଚ୍ଛା ହୁଏ ଖାଲି ଧାଇଁ ଯିବା ପାଇଁ
ତାର ଶ୍ରୀକ୍ଷେତ୍ର ଧାମକୁ
ଦେଖି ତା ନୟନ ଭୁଞ୍ଜି ଅବଢ଼ା ଅନ୍ନ
ଫେରନ୍ତି ମୋ ଜଞ୍ଜାଳକୁ ।
କେବେ ତାର ଡୋରି ଲଗାଇଣ ନେବ
ଅପେକ୍ଷାରେ ରହିଅଛି
ମହାମାରୀ ଦିନୁ ଯାଇ ନାହିଁ ବୋଲି
ମନ ମୋର ଝୁରୁଅଛି ।
ଛନ୍ଦା ଚରଣେ ମୋ ଜୀବନଟି ବନ୍ଧା
ସିଏ ହିଁ ମୋର ଭରସା
ତାର ବିନୁ କେହି ଆନ ଆଉ ନାହିଁ
ଥିଲେ ଥାଉ ଯେତେ ଆଶା ।
ଶକ୍ତିଶାଳୀ ଜଳନ୍ଧରକୁ ବଧିଲେ
ଭାଙ୍ଗି ଦେଇ ତାର ବଳ
ସତୀ ବୃନ୍ଦାବତୀ ସତୀତ୍ଵ ବଳରେ
ବାନ୍ଧୁ ନଥିଲା କାଳ ।
ଲୋତକ ଝରାଇ ପଚାରିଲେ ପ୍ରଶ୍ନ
ମାଆ ସତୀ ବୃନ୍ଦାବତୀ
ଆଶୀର୍ବାଦ ଦେଲେ ତୁଳସୀ ହୋଇଣ
ପୂଜା ପାଅ ନିତି ନିତି ।
ତୁମେ ପ୍ରିୟ ସଦା ହୋଇବ ମୋହର
ମସ୍ତକେ ମୋ ଶୋଭା ପାଇ
ତୁଳସୀର ଜଳ ମୁକ୍ତି ଦେଇଦେବ
ଟିକେ ଦେଲେ ଶେଷବେଳେ ପିଇ।
ଇଚ୍ଛାମୟଙ୍କର ଇଚ୍ଛା ଯାହା ଥିବ
ଅବଶ୍ୟ ତାହା ଘଟିବ
ମୁଁ ତ ମାନବ ନିମିତ୍ତ ମାତର
ରକ୍ଷା କର ହେ ମାଧବ।
ଇଚ୍ଛାମୟଙ୍କର ଯାହା ଇଚ୍ଛା ଥିବ
ଅବଶ୍ୟ ତାହା ଘଟିବ
ମୁଁ ତ ମାନବ ନିମିତ୍ତ ମାତର
ରକ୍ଷା କର ହେ ମାଧବ ।
ବୁଡି ରହିଅଛି ତୋ ମାୟା ସଂସାରେ
ତୋର ନାମ ଧରି ପାରି ହେବି
ଏତିକି ଆଶୀଷ ଦେଉଥିବ ମୋତେ
କି ଅବା ଆଉ ଲେଖିବି ।
ବିଶ୍ୱବିହାରୀ ହେ ଦୟାମୟ ହରି
ଜଣାଏ ମୋର ମୀନତି
କଲମ ମୋହର ଅଟକି ଯାଉଛି
କରୁଛି ଏଇଠୁ ଇତି ।
