STORYMIRROR

Biswanath Nayak

Others

3  

Biswanath Nayak

Others

ତୁଳସୀ --------

ତୁଳସୀ --------

1 min
314


ଦୁଇ ପତରରୁ

ବାସଇ ତୁଳସୀ

ବଣରେ ଥାଉ ବା ଘରେ,

ତୁଳସୀର ମାଳ

ଶୋଭାପାଏ ସଦା

ପ୍ରଭୁଙ୍କର ଶ୍ରୀଅଙ୍ଗରେ। 

ଯେଉଁଠି ଜନମୁ

ଆଦରରେ ତାକୁ

ଘରକୁ ଆଣେ ମଣିଷ,

ଜାଳି ସଞ୍ଜବତୀ

ପୂଜା କରେ ତାକୁ

ଲଭିବାକୁ ତା ଆଶିଷ। 

ମଣିଷ ଆଗରେ

କେଉଁଠାରେ ଯଦି

ବିଛୁଆତି ଗଛ ଥାଏ,

ଅତି ଅନାଦରେ

ମଣିଷ ତାହାକୁ

ଶୀଘ୍ର ଓପାଡି ପକାଏ। 

କହେ ବିଛୁଆତି

ହେ ମଣିଷ ଜାତି

କାହିଁକି ଏ ଅବିଚାର,

ତୁଳସୀକୁ କର

ଶ୍ରଦ୍ଧା ଓ ଆଦର

ମୋତେ କର ଅନାଦର। 

ତାକୁ ଚଢାଉଛ

ଦେବତାଙ୍କ ଶିରେ

ମୋତେ ପକାଅ ଓପାଡି,

କାହିଁକି ମୋ ପାଇଁ

ଏ ପକ୍ଷପାତିତା

କୁହ ବାରେ ମୋତେ ଫେଡି। 

କହିଲା ମଣିଷ

ପର ଉପକାରୀ

ନାହିଁ ତ ତୁଳସୀ ସମ,

ହୋଇ ଅଉଷଧି

ରୋଗ ଯନ୍ତ୍ରଣାକୁ

କରେ ସିଏ ଉପଶମ। 

ପରିବେଶ ଆମ

କରଇ ସୁରକ୍ଷା

ପରିମଳ କରି ବାୟୁ,

ତୋ ପରଶେ ଆସି

ମିଳଇ ଯନ୍ତ୍ରଣା

ଲାଗିଲେ କୁଣ୍ଡାଇ ହେଉ। 

ସଂସାରେ ଜନମି

ସବୁବେଳେ ଯିଏ

କରେ ପର ଉପକାର,

ତୁଳସୀ ପରାୟେ

ମହାପ୍ରଭୁଙ୍କର

ହୁଏ ନିଶ୍ଚେ ଗଳାହାର। 

ତୁଳସୀ ପରଶେ

ମିଳେ ସୁଖ ଶାନ୍ତି

ସୁଜନ ସଙ୍ଗ ପରାୟେ,

ଦୁର୍ଜନର ସଙ୍ଗ

ବିଛୁଆତି ପରି

ସଦା କଷ୍ଟ ଦେଉଥାଏ। 

ବିଛୁଆତି ପରି

ହୋଇ ଯଦି କେହି

କରିବ ଅନ୍ୟର କ୍ଷତି,

ଅନାଦର କରି

ଉପାଡି ଫିଙ୍ଗିବ

ତାକୁ ଏ ମଣିଷ ଜାତି। 



Rate this content
Log in