STORYMIRROR

Ajaya Mahala

Others

3  

Ajaya Mahala

Others

ଟିକେ ରୁହ !

ଟିକେ ରୁହ !

2 mins
506



ଗୁଡାଏ ପ୍ରତୀକ୍ଷା ସାରି

ଆଉ ତା ପରେ

ମନର ତୀଖ ପାଚେରୀ ଡେଇଁ

ତୁମର ନିକଟ ହୋଇ ସାରିଲା ପରେ

ଯେତେବେଳେ ହସଟିଏ ହସି

ତମେ "ଟିକେ ରୁହ !"

ବୋଲି କହି ଦିଅ

ସେତେବେଳେ ବି

ମତେ ଲାଗେ

ଯେମିତି ଶବ୍ଦ ଦୁଇଟିରେ

ଅନୁକମ୍ପା ଓ ପ୍ରତ୍ୟୟ

ପୁଟ ପୁଟ ଭରି ରହିଛି


ମନରେ କେତେ କଣ ସ୍ୱପ୍ନ

ଲହଡ଼ି ମାରିଲା ବେଳକୁ

ପୁଣି ଏ କି ବାଧା !

ମନରେ ପ୍ରଶ୍ନ ଆସେ-

କାହା ଫୋନ ଆସିଛି ଯେ

ମତେ ହୋଲଡରେ ରଖି

ତମେ କଥା ହେବାକୁ ଲାଗିଯାଇଛ

ଅନ୍ୟ କାହା ସହ


କିନ୍ତୁ ଆତ୍ମସନ୍ତୁଷ୍ଟି ବି ଅନୁଭବ କରେ

ଯେମିତି ମୋ କାହାଣୀର ନାୟିକା

ମୋ ମୁହଁକୁ ଝିନ ଚୁନରୀରେ

ଢାଙ୍କି ଦେଇ

ପିଠି ପଟେ ଲୁଚାଇ

ପଞ୍ଚାୟତ ଆଉ ପୁରୋଧା ମାନଙ୍କୁ

ଏଇନେ ଜବାଵ ଦେଉଛି

ଦ୍ୱାରବନ୍ଧରେ ଛିଡା ହୋଇ


ସୁନାପିଲାଟି ପରି

ଠିଆ ହୋଇ ରହିଛି ସେଇଠି ମୁଁ

ହାତରେ ଫୋନ ଧରି


ଯେମିତି

ଅନ୍ଧାର ପାହାଚରେ ପୋଖରୀ ଭିତରକୁ

ଓହ୍ଲେଇଯାଇଥିବା ପତ୍ନୀକୁ

ସଦ୍ୟ ନବବିବାହିତ ସ୍ୱାମୀ ଟି

ପୋଖରୀ ବନ୍ଧ ଉପରେ ବସି ରହି

ଜଗିରହିଛି


ଅଥବା ବସି ରହିଛି ସେଇଠି

ଯେମିତି କିଚେନରେ

ଗୃହସ୍ୱାମିନୀଙ୍କୁ କାର୍ଯ୍ୟବ୍ୟସ୍ତ

ଥିବା ଦେଖି

ଆଗନ୍ତୁକ ଜଣେ

ବୈଠକଘରେ ବସି ରହି

ଦେଖୁଥାଆନ୍ତି

ଘର କାନ୍ଥରେ

ଟଙ୍ଗା ଯାଇଥିବା

ପୁରୁଣା ତୈଳଚିତ୍ର ଗୁଡିକୁ


ମୋ ପାଇଁ "ଟିକେ ରୁହ !" ର "ଟିକେ"

ଏକ ମିନିଟ ପାଇଁ

ଏକ ଅଧିକାରପୂର୍ଣ୍ଣ ମିନତି ନୁହେଁ

ସେଥିରେ ଲୁଚିଥାଏ

ଯୁଗ ଯୁଗ ପ୍ରତୀକ୍ଷା କରିବାର

ଏକ ପ୍ରଚ୍ଛନ୍ନ ଆଶ୍ୱାସନା

ଆଉ ମନର ନିଭୃତ କୋଣରେ

ଜନ୍ମି ସାରିଥିବା

ଖଣ୍ଡେ ଏକତରଫା ଭରସା


ବେଳେ ବେଳେ ଲାଗେ

"ଟିକେ ରୁହ !" କହି

ତମେ ମତେ

ବିନୟପୂର୍ବକ ଭିଡରୁ ଅଲଗା ହୋଇ

ଛିଡା ହେବାକୁ କୁହ

ଯେମିତି ତେଜରାତି ଦୋକାନୀ

ପୁରୁଣା ଗରାଖକୁ ବେଞ୍ଚରେ

ବସିବାକୁ କହି

ଅନ୍ୟ ଗ୍ରାହକଙ୍କ

କଥା ଆଗ ବୁଝେ


ଏଇ ତୁମର "ଟିକେ ରୁହ!"

ପୋତି ଦିଏ ମୋ ମନ କ୍ଷେତରେ

ଧୈର୍ଯ୍ୟର ବୃକ୍ଷଟିଏ

ତାର ଫଳ ବି ସେତିକି ସୁନ୍ଦର

ସବୁ ଗରାଖ ଯାଇ ସାରିଲା ପରେ

ତୁମେ ମୋ ସଉଦା

ଏକାଠି କରିବାରେ

ଲଗାଇ ଦିଅ ଦୋକାନର

ସମସ୍ତ ଭୃତ୍ୟଙ୍କୁ

ଖାସ ମୋ ପାଇଁ

ସୁନ୍ଦର ପେଟିଖୋଲା ଆଉ

ମନଲାଖି ନୂଆ ମାଲସବୁ

ଅଲଗା କର


ଆଉ...ଏବେ ତୁମେ

ଫୋନ ହୋଲଡ଼ରୁ ହଟାଇ

ହସି ମୋ ଫୋନ ସହ

ପୁନଃ ସଂଯୋଗ କରୁଛ,

କିଏ ଓ କାହିଁକି

ସେପଟୁ ଫୋନ କରିଥିଲା -

ଏହିପରି ନ ମାଗିଥିବା

କୈଫିୟତ ଟିଏ

ମୋ ଆଗରେ ପରସି ଦେଇ


"ଟିକେ ରୁହ !"ର

ସାମୟିକ କଟକଣାରେ

ପରାହତ ହୋଇ

ଟିକିଏ ସମୟ ପୂର୍ବରୁ

ତୁମ ବୈଠକଘରେ

ବିଚଳିତ ବସିଥିବା

ମୋ ଭିତରର ଆଗନ୍ତୁକ ଜଣକ

ପ୍ରଫୁଲ୍ଲିତ ହୋଇଯାଏ

ଯେତେବେଳେ

କିଚେନ ଭିତରୁ କପ ଧରି

ଆସିଲା ବେଳେ

ତୁମର ନିୟନ୍ତ୍ରିତ ଚାଲିରେ

ସେ ଦେଖିପାରେ

କିପରି

ତୁମ ଟିକେ ଟିକେ କଥାରେ

ହସଫୁଲ ଫୁଟୁଥାଏ

~💝~


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍