ତଥାସ୍ତୁ କର ହେ ଈଶ୍ଵର
ତଥାସ୍ତୁ କର ହେ ଈଶ୍ଵର
ମୁଁ ତମକୁ ଏଥିପାଇଁ ଡରେ
କାରଣ ତମେ ଈଶ୍ବର ।
ତମ ଦୁଇ ହାତ ଅନେକ ଲମ୍ବା
ଛାତି ତମ ଆକାଶ ଠୁ ଆହୁରି ପ୍ରଶସ୍ଥ ।
ତମକୁ ଛୁଇଁବା ,ତମକୁ ଦେଖିବା
ଆକାଶ କଇଁଆ ଚିଲିକା ମାଛ ,
ଯୋଯନ ଯୋଯନ ଦୂରତ୍ବ ତମ ମୋ ମଧ୍ୟେ ।
ହାତ ବଢାଇଲେ ହାତ ପାଏ ନାହିଁ
ଅପହଂଚ ଲାଗେ ତମ ଧୂପ ଦୀପ ଅଗରୁର ବାସ ।
ତମର ସେ ରତ୍ନ ଖଚିତ ସିଂହାସନ
ଅରୁଣ ଅର୍ଚ୍ଚିତ ସୁବାସିତ ଅଙ୍ଗ ।
ବାରମ୍ବାର ଘୂରିବୁଲେ ତମକୁ ପାଇବା ପାଇଁ
ଶୂନ୍ୟରେ ପୁଣି ମହାଶୂନ୍ୟରେ ,
ଅନ୍ଧାକାରରୁ ଆଲୋକର ଆବର୍ତ୍ତ ମଧ୍ୟରେ ,
ମାତ୍ର ଧକ୍କାଖାଏ ମୋ ଅନ୍ବେଷଣ ପ୍ରତିକ୍ଷଣେ ।
ତମେ ଈଶ୍ବର ବୋଲି ତ
ସବୁତକ କହିଦିଏ ତମ ପାଖେ
ମୋ ହସ, କାନ୍ଦ, ଲୁହ, ଲହୁର ଇତିବୃତ୍ତ ।
ଅଜାଡି ଦିଏ ଗୋଟି ଗୋଟି
ମୋ ଇଚ୍ଛା ଓ ଅନିଚ୍ଛାର ପାଉଁଶିଆ ଦିଗ ।
ମୋ ନିଃସଙ୍ଗତାର ଅନ୍ତର୍ଦାହ ଯେତେ,
ଆଉ ମୋ ଭୋକିଲା ପୃଥିବୀର
ଯେତେ ଅସଂଲଗ୍ନ ମାନଚିତ୍ର
ଝଲମଲ ଦିଶୁଥାଏ ଘଂଚ ଅନ୍ଧକାର ପଥେ ।
ତମେ ଈଶ୍ବର ବୋଲି ତ
ବୋଳିଦିଏ ଚନ୍ଦନ ତମ ଆରକ୍ତ କପାଳେ ।
ପାଲଟି ଯାଏ ଶକ୍ତ ଶିଳାଖଣ୍ଡ ତମରି ରୂପରେ,
ବିଶ୍ବାସର ଦିବ୍ୟ ମହକରେ ।
ସଜାଇ ଦିଏ ପୂଜାବେଦୀ ,
ବହିଯାଏ ଆଖି କୋଣ ମୋର
ଜମାଟ ବାନ୍ଧି ରହିଥିବା ଲୁହର ସାଗର
କେଉଁ ଅୟୁତ ଦିନର ।
ପେଷି ହୋଇଯାଏ ମୋ ଅନନ୍ତ ପିପାସା
ମୋ ଅନ୍ଧାରୁଆ ସୁପ୍ତ ଚେତନାରେ ।
ମୋ ରାଗ ଅନୁରାଗ ଓ ମାନ ଅଭିମାନର
ପରସ୍ତ ପରସ୍ତ ଆସ୍ତରଣ
ଖୋଲି ଖୋଲି ଯାଏ ଭୂମିରୁ ଭୂମାକୁ,
ପୁଣି କେତେବେଳେ ବୁଜି ହୋଇଯାଏ
ଆପଣା ଛାଏଁ ଛାଏଁ
ମଧ୍ୟାହ୍ନର ମୁଣ୍ଡଫଟା ଖରାର ତେଜରେ ,
କେବେ ପୁଣି ଚକମକ ହୁଏ
ଜ୍ୟୋସ୍ନାଭିଜା ପୁନେଇଁ ରାତିରେ ।
ଏବେ କୁହ ତ ଈଶ୍ବର !
କାହିଁକି ଡାକିବି ତମକୁ ଈଶ୍ଵର ବୋଲି ?
କାହିଁକି ଛନ୍ଦିଦେବି ମୋ ରିକ୍ତ ଦୁଇ ହାତ
ତମ ବହଳ ନିଃଶ୍ୱାସର ଚାରିପଟେ ?
ଶୁଣି କରି ଶୁଣୁ ନାହଁ ତମେ
ଦେଖିକରି ଦେଖୁ ନାହଁ ,
ମୁହଁ ଖୋଲି କହିଦିଏ ଥରେ
ଆଉ କେଉଁ ଅଗ୍ନିପରୀକ୍ଷାର ଯମ ଯନ୍ତ୍ରଣାକୁ
ଅପେକ୍ଷା କରିଛ ତମେ ?
ଉଛୁର ହେଲାଣି ବେଳ,
ଥରେ ମାତ୍ର ତଥାସ୍ତୁ କର ହେ ଈଶ୍ବର !!
