ତରଭୂଜ
ତରଭୂଜ
ଜୀବନର ଜ୍ୟାମିତି ଖାତାରେ ଅଙ୍କନ ମୁଁ କଲି ଯାହା ସବୁ ଥିଲା ମିଛ ମିଛ ପ୍ରେମର ତ୍ରିଭୁଜ,
ସମତଳ ଚାଷଜମିପରେ, କୃଷକଟେ ଆଙ୍କିପାରେ
ଶୋଷର ସେ ସତ ତରଭୂଜ।
ଆହେ ମୋର ପ୍ରିୟ ତରଭୂଜ,
ବାପାଙ୍କ ହୃଦୟ ପରି ତମେ!
ଉପରକୁ ଟାଣ ସିନା ଭିତରେ ତ ଭାରି ମିଠା,ଶୀତଳ,କୋମଳ,
ରାସ୍ତା କଡ଼ ଠେଲା ଦୋକାନୀଟା,
କାଟି କାଟି ସଜାଏ ସେ ଅର୍ଦ୍ଧ ଚନ୍ଦ୍ର ପରି,
ସେଥିପାଇଁ ତମେ ବୋଧେ ଚନ୍ଦ୍ର ଭଳି ଭାରି ସୁଶୀତଳ!
ଆଗୋ ମୋର ପ୍ରିୟା ତରଭୂଜ,
ତମେ ଲାଗ ପ୍ରିୟା ଓଠ ନାଲି ହସ ପରି
ତୁମକୁ ମୁଁ ଛୁଇଁ ଯାଏ ଯେବେ ମୋ ଓଠରେ
ମତେ ଲାଗେ ତୁମେ ତୁମ ନାଲି ଓଠେ କରୁଛ ଚୁମ୍ବନ
ଥରାଇ ଦେଉଛ ଦେହମନ,
ତମର ସେ ଅପୂର୍ବ ଛୁଆଁରେ।
ତମେ ମୋର ଖରାଦିନ ସାଥୀ,
ତମେ ମୋର ପିଲାଦିନ ସାକ୍ଷୀ,
ତମ ସାଥେ କେତେ ସ୍ମୃତି କେତେ ଅନୁଭୂତି।
କେବେ ଲାଗ ବାପା ପରି କେବେ ପୁଣି ଲାଗୁଛ ପ୍ରେମିକା,
କେବେ ପୁଣି ଆକାଶର ତୁମେ ଅର୍ଦ୍ଧ ଚନ୍ଦ୍ରିକା!
ଆଜି ଏଠି ଖରା ଭର୍ତ୍ତି ପଇଁଚାଳିଶ ଡିଗ୍ରୀ,
ଜୀବନର ମଧ୍ୟାହ୍ନରେ ତୃଷାର୍ତ୍ତ ମୁଁ କ୍ଲାନ୍ତ ପଥିକ,
ଆଣି ଦିଅ କେହି ମତେ ପୃଥିବୀର ସବୁ ତରଭୂଜ,
ତା ଭିତରେ ଖୋଜିବି ମୁଁ ମୋ ପିଲାଦିନକୁ
ଅନୁଭବ କରିବି ମୁଁ ତା'ର ସେହି ମିଠା ଛୁଆଁ, ଶୀତଳ ଚୂମାକୁ।
ଦେଖି ତା'ର ନାଲି ଓଠ ରଙ୍ଗ,
ଭୁଲିଯିବି ଗ୍ରୀଷ୍ମର ଏ ପ୍ରଚଣ୍ଡ ନିଦାଘ।
