ତୋଷାମୋଦିଆ
ତୋଷାମୋଦିଆ
ତୋଷାମୋଦିଆ ଯେ ପାରୁଡ଼ା ପୋକକୁ
ବୋଲନ୍ତି ବାସନା ପୋକ,
ଯାଉଣୁ ଆସୁଣୁ ମୁଣ୍ଡିଆ ମାରନ୍ତି
ମିଛକୁ ଭକତି ଟେକ !
ତୋଷାମୋଦିଆ ଯେ କୁକୁର ପ୍ରକୃତି
ଚାଟିବେ ଅଇଁଠା ଖଲି,
ଓଲମ ବିଲୋମ ଟିକିଏ ହୋଇଲେ
କାମୁଡ଼ି ଦେବେଟି କାଲି !
ତୋଷାମୋଦିଆ ଯେ ଯାହାର ଖାଇବେ
ତାହାରି ଥାଳିରେ ହଗି,
ମାଲିକ କ୍ଷେତକୁ ଉଜାଡ଼ି ଦେଇକି
ପରକୁ ଯିବେଟି ଜଗି !
ତୋଷାମୋଦିଆ ଯେ ମୂରୁଖ ନେଇକି
ଉଚ୍ଚରେ ରଖିବେ କବି,
ଟିକିଏ ପାନରୁ ଚୂନଟା ଖସିଲେ
ଦିଶେନି ମୁହଁର ଛବି !
ତୋଷାମୋଦିଆ ଯେ ଆକାଶ କଇଁଆ
ଚିଲିକା ମାଛକୁ ଗପି,
ଧନକୁ ପାଇଲେ ଯାହାକୁ ତାହାକୁ
ଲଗାଇ ଦିଅନ୍ତି ଟୋପି !
ତୋଷାମୋଦିଆ ଯେ କଥାର ଚାତୁରୀ
ଛତାକୁ କହିବେ ଛତି,
କାଣୀକୁ କହିବେ ସୁନ୍ଦରୀ ରାଣୀଟେ
ଚଢ଼ିବା ଯୋଗ୍ୟାକୁ ହାତୀ !
ତୋଷାମୋଦିଆ ଯେ ବତୀକୁ ପେଲିବେ
ହାତକୁ ଚିକ୍କଣ କରି,
ବାଧାଟି ପଡ଼ିଲେ ଅଧାରୁ ରହିବେ
ଜୀଅନ୍ତା ଦେବେଟି ମାରି !
ତୋଷାମୋଦିଆ ଯେ ଘରକୁ ଭାଙ୍ଗନ୍ତି
ଭାଙ୍ଗନ୍ତି ଦୁନିଆ ଗାଆଁ,
ଅଯଥା କଥାକୁ ମୁଣ୍ଡରେ ମୁଣ୍ଡେଇ
ବୁଡ଼ାନ୍ତି ଅନ୍ୟର ନାଆଁ !
