ତମେ ଗୋ ମୌସୁମୀ
ତମେ ଗୋ ମୌସୁମୀ
ତାପିତ ଏ ଧରା ତାପିତ ଏ ମାଟି
ନୀରବେ ଢାଳୁଛି ଲୁହ
ବେଦନା ବିଧୁର ହୃଦୟେ ମୋହର
ଲହଡି ଭାଙ୍ଗୁଛି କୋହ ।।
ମାଟିରୁ ଆକାଶ ସକାଳରୁ ସଂଜ
ଉର୍ଦ୍ଧ୍ବମୁଖୀ ଅଗ୍ନିଶିଖା
ନିଥର ନିରୋଳା ନିଶୀଥ ପ୍ରହରେ
ଜଳେ ଜୀବନର ରେଖା ।।
ତମେ ଗୋ ମୌସୁମୀ ଛୁଇଁବ କି ଥରେ
ଅଶାନ୍ତ ହୃଦୟ ମୋର
ମଧୁ ବରଷିବ ସ୍ବପ୍ନ ଗଜୁରିବ
ଝରୁଥିବ ବିନ୍ଦୁ ଧାର ।।
ପାହାଡ ସେପଟେ ସାଗରର ବକ୍ଷେ
ରୋଷଣୀର ଚିତ୍ରପଟ
ମେଘ ସବାରୀରେ ଆସିବକି ଥରେ
ପିନ୍ଧି କଳାମେଘି ପାଟ ।।
ଗୋଧୂଳି ଲଗ୍ନର ଅଳସ ପ୍ରହର
ଚାତକେ ରହିଛି ଚାହିଁ
ମ୍ଳାନ ଅପରାହ୍ନ ହେଉ ବା ସାୟାହ୍ନ
କାନ୍ଦେ ଯାହା କଇଁ କଇଁ ।।
ଧ୍ବସ୍ତ ଉପତ୍ୟକା ଶୀର୍ଣ୍ଣ ଉପବନ
ଅଶାନ୍ତ ଏ ବେଳାଭୂଇଁ
ମୁଗ୍ଧ ମୂର୍ଚ୍ଛନାର ତାଳେ ତାଳେ ତମେ
ଆସ ଥରେ ନଇଁ ନଇଁ ।।
ସ୍ବେଦସିକ୍ତ ତନୁ ଉଦବେଳିତ ପ୍ରାଣ
ଖୋଜେ ତମ ନୀଳସ୍ପର୍ଶ
ସ୍ତୋତ୍ରର ସ୍ତବକ ମଙ୍ଗଳ ମହକ
ଢାଳିଦେଉ ଶୁଭାଶିଷ ।।
ପାଉଁଜିର ତମ ଛମ୍ ଛମ୍ ସୁର
ପ୍ରୀତିର ମହ୍ଲାର ତୋଳେ
ଅୟୁତ ସ୍ବପ୍ନର ନୀଳ ଉର୍ମିମଳା
ପାଦ ଥାପେ ମନତଳେ ।।
ତମେ ଗୋ ମୌସୁମୀ କୋମଳ ପଣତେ
ପୋଛିଦେବ ଅଶ୍ରୁଧାର
ମଧୁମୟ ସୃଷ୍ଟି ମଧୁର ପୁଲକେ
ହସୁଥିବ ନିରନ୍ତର ।।
ଏ ତପ୍ତ ମୂଲକେ (ତମ) ସିକ୍ତ ପାଦଚିହ୍ନ
ଝଲମଲ ଦିଶୁଥିବ
ଉଦାସ ବୁକୁ ମୋ ସ୍ନିଗ୍ଧ ଶିହରଣେ
ସ୍ବାଗତିକା ଗାଉଥିବ ।।
ତମେ ଗୋ ମୌସୁମୀ ପ୍ରୀତିର ରାଗିଣୀ
ଢାଳିଦିଅ ପ୍ରୀତି ଧାରା
ଶୀତଳ ଚନ୍ଦନ ପ୍ରଲେପିତ ଧାରେ
ମହମହ ବାସୁ ଧରା ।।
