STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ତମେ ଚାଲିଗଲାପରେ

ତମେ ଚାଲିଗଲାପରେ

1 min
158


ତୁମେ ଆଜି ଆକାଶର ମୁକ୍ତ ନୀଳପରୀ

ବାରମ୍ଵାର ଆସୁଥାଅ ମୋ ସ୍ଵପ୍ନରେ

ପାଖେ ବସ ମନ ଭରି ଖୁବ ଗପ

କେବେ ହସୁଥାଅ ପୁଣି କାନ୍ଦୁଥାଅ

ଛାଡିଯାଇଥିବା ଅଧାଗଢା ସଂସାରଟିଏ ପାଇଁ

ଖଣ୍ଡିଉଡା ଦେଉଥିବା ଚଢେଇ ମାନଙ୍କ କଥା କହି ।


ତମେ ଗଲା ପରେ 

କେମିତି ମୁଁ ବଞ୍ଚିଛି କେବେ ଭାବିଛ

ଏକା ଏକା ବଞ୍ଚିବାଟା ଭାରି କଷ୍ଟ

ଲହୁକୁ ପାଣି କରି ଛାତିର କୋହକୁ ଜାବୁଡି

ସଂସାରର ଗୁଡେ ଜଞ୍ଜାଳର ବୋଝ ହାହୁତାଶ

ପାରୁନି ମୁଁ ଆଉ ତାକୁ ସହି ।


ସେଦିନ କେମିତି ତୁମେ ଅତି ସହଜେ

ପାଦତଳ କଣ୍ଟାକୁ କଣ୍ଟାରେ କାଢିଦେଉଥିଲ

ପଣତକାନିରେ ପୋଛିଦେଉଥିଲ ଝାଳୁଆ ମୁଁହକୁ 

ବୃନ୍ଦାବତୀ ପାଶେ ସକାଳ ସଂଜେ ଆଖିବୁଜି

ମଙ୍ଗଳ ମନାସୀ ହାତ ଯୋଡି କହୁଥିଲ

ଘଣ୍ଟଘୋଡାଇ ରଖିଥାଅ ସଦା ମୋ ସଂସାରକୁ ।


ଜୀବନ ନଈରେ ସଂସାରର ନାଆ ଦେଲେ ମେଲି

କେତେ କେତେ ଝଡ ବାତ୍ୟା ସହିବାକୁ ହେବ

ଡଙ୍ଗା ଭିତରେ ପଶିବ କେତେ ପାଣି

ତଥାପି ଭୟ ନ ଥିଲା ମୋର

କାହିଁକିନା ସେଦିନ ତୁମେ ଥିଲ

ମୋ ପାଖେ ଆହୁଲାଟିଏ ହୋଇ 

ଧରିଥିଲ ଶକ୍ତ କରି ମଙ୍ଗଟିକୁ ।


ସମୟ ଚକେ ବଦଳିଯାଇଛି ସବୁ

ତୁମ ହାତ ତିଆରି ସୁନ୍ଦର ଆଇନାଟା

ଯାଇଛି ଭାଙ୍ଗି ଚୁରମାର ହୋଇ ତଳେ ପଡି

ସେଥିରେ ଦିଶୁନି ଆଉ ମୋ ମୁଁହ

ଗାଲରେ ପାଚିଲା ଦାଢିଭର୍ତ୍ତି ଶୁଖିଲା ମୁଁହ

ପୁଅବୋହୂଙ୍କ ଅସହ୍ୟ କଟାକ୍ଷ ଶରେ

ଧରାଶାୟୀ ଭୀଷ୍ମ ପରି 

ଅପେକ୍ଷା କରିଛି ଖାଲି ମୁଁ ଇଚ୍ଛାମୃତ୍ୟୁକୁ ।


ଭଙ୍ଗା ଦେଉଳେ ବସି ଗଣୁଥାଏ ଆକାଶର ତାରାମାନଙ୍କୁ

ଓଠେ ସିଗାରେଟଟିଏ ଧରାଇ

ନିଜେ ଜଳି ଜଳି ଧୂଆଁ ହୋଇ

ଉଡିଯାଉଛି ଯେମିତି ମୁଁ ତୁମ ପାଖକୁ

ତୁମେ କିନ୍ତୁ ପାରୁନ ସହି ମୋ ବେଶ ଦେଖି

ଆସୁଥାଅ ମୋ ପାଖକୁ ବାରମ୍ଵାର 

ତୁମପାଖକୁ ସବୁଦିନ ପାଇଁ ଟାଣିନେବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍