ତମେ ଆସିବ ବୋଲି - ୧୫
ତମେ ଆସିବ ବୋଲି - ୧୫
ତମେ ଆସିବ ବୋଲି
ସ୍ମୃତି ସବୁ ଭାସିଲେଣି କଳାମେଘ ପରି
ପହିଲି ଆଷାଢର ଧୂମାଭ ଆକାଶେ ,
ତମ ଘନ କୃଷ୍ଣ କବରୀରୁ ଝରିଲାଣି
ପେନ୍ଥା ପେନ୍ଥା ଫୁଲର ପାଖୁଡା
ଧରଣୀର ବୁକୁ ଚିରି ଭାସିଆସେ ମହମହ
ଭିଜାମାଟିର ଗନ୍ଧ
ଭାବପ୍ରବଣତାର ରୁଦ୍ଧ କାରାଗାରେ
ବାନ୍ଧିହୁଏ ମୋ ଉତ୍ତେଜିତ ମନ ଓ ବୟସ ।
କାହିଁକି କେଜାଣି ଏମିତି ଲାଗେ ଆଜିକାଲି
ତମ କଥା କେତେବେଳେ ମନେପଡିଗଲେ
ଆନ୍ଦୋଳିତ ହୁଏ ମୋ ହୃଦୟ
ବିଗଳିତ ହୁଏ ମୋ ପ୍ରତିଟି ସ୍ପନ୍ଦନ
ଉଡିବୁଲେ ପ୍ରେମ ପକ୍ଷୀ ଆକାଶୁଁ ଆକାଶ
ଡେଇଁ ଯାଏ ମହାକାଶକୁ
କେତେବେଳେ ଡେଣା ଛିଡି ଯାଏ ତ
ପୁଣି କେତେବେଳେ ଡେଣା ଫଡ ଫଡ ହୁଏ
ମାତ୍ର ସରେ ନାହିଁ ପଥ
ମାଟିର ଗନ୍ଧରେ ଜୁଡୁବୁଡୁ ତମ ସ୍ମୃତି ସବୁ
ଖେଳୁଥାଏ ଲୁଚକାଳି ପବନରେ
ଆଦ୍ୟ ଆଷାଢର ମେଘ ମେଦୁରିତ
ଭସା ବଉଦର ଲମ୍ବା ଆସ୍ତରଣ ତଳେ ।
ଆସ ଥରେ ପ୍ରିୟତମା
ଖୋଲିଦିଅ ତମ ଚିକମିକ୍ ଗହଳ କବରୀ
ଖୋସି ଦେବି ଫୁଲଟିଏ ମୁକୁଳା ଗଭାରେ ,
ଅପାଶୋରା ତମ ସ୍ମୃତି ସବୁ ଭାସିଲେଣି
ଦୁଃଖହୋଇ ମୋ ଜୀବନର ଉଛୁଳା ନଦୀରେ ,
ଦେହ ମୋର କ୍ଷୀଣ ହୁଏ
ମନ ଝୁରିହୁଏ ତମ ସ୍ମୃତି କେବେ ମନେପଡିଗଲେ
ଭିଜ ମାଟିର ଗନ୍ଧ ଶୋଷିନିଏ
ଧୀରେ ଧୀରେ ମୋ ବାକିତକ ଆୟୁଷ ।
ଜାଣିଛ ନା ପ୍ରିୟତମା !
ଅଚାନକ ଆଷାଢ ଆସିଲେ କେବେ
ତମ ସ୍ମୃତି ସବୁ ଭାସିବୁଲେ ଭିଜା ଆକାଶରେ
ମେଘର ଲାଜୁଆ ହସରୁ ଖସି ପଡେ ସ୍ମୃତି କେବେ
ଫୁଲ ହୋଇ ମୋ ହୃଦୟର ଶୁଷ୍କ ଆଗଣାକୁ
ବତୁରିଯାଏ ମୋ ଦେହର ଯେତେ ଲୋମକୂପ
ବିଜୁଳିର ଚମକ ଖେଳେ
ମୋ ମନର ସିକ୍ତ ଅଙ୍ଗନରେ ,
ଅଣାୟତ ହୋଇଯାଏ ମୁଁ ବାରମ୍ବାର
ମେଘର ଡମ୍ବରୁ ବାଜି ଉଠେ ଯେବେ
ମୋ ରକ୍ତରେ ତୂର୍ଯ୍ୟୁନାଦ ଶୁଭେ ।
ବେଳେବେଳେ ଏମିତି ବି ହୁଏ
ସ୍ପପ୍ନ କେତେ ଭର୍ତ୍ତି ହୋଇଯାଏ
ମୋ ମଳିନ ଉଦାସ ଆଖିରେ ,
ଆୟୁରେଖା ଲମ୍ବି ଲମ୍ବି ଯାଏ
ଜୀଇଁବାକୁ ଇଛା ହୁଏ ମନ ଭରି ଯୁଗ ଯୁଗ ପାଇଁ
କେବେ ଯଦି ତମ ସ୍ମୃତି ଫୁଟିଯାଏ ଫୁଲଟିଏ ହୋଇ
ମୋ ମନର ନୀଳ ବଗିଚାରେ ।
ଗାଇବାକୁ ଇଚ୍ଛା ହୁଏ ମିଳନର ଶେଷ ଗୀତ
ଛିଡାହୋଇ ମୋ ବିଖଣ୍ଡିତ ପୃଥିବୀର
ଶେଷ ପାହାଚରେ ,
ମନକୁ ବୁଝେଇ ଦିଏ ମୁଁ
କେତେ ଆନନ୍ଦ ମିଳେ ସତେ !
ଦିକିଦିକି ଜଳୁଥିବା ପାଉଁଶ ତଳର
ନିଆଁ ଖୋଜିବାରେ ,
ଖାସ୍ ତମେ ଆସିବ ବୋଲି
ଆଷାଢର ନୀଳ ନୀଳ ବତୁରା ସ୍ମୃତିରେ ।।