ତଳ ବରଡା
ତଳ ବରଡା
ଜୀବନକୁ ନେଇ ତିଳ ତିଳ କରି
କଞ୍ଚାରୁ ପାଚିଲା ହେଲା,
ଜନ ହସୁଥିଲେ ଆହା ପଦେ ବୋଲି
କେହି ତ କହୁ ନଥିଲା ।
ଆଉ କିଛି ଦିନେ ଝଡିଯିବ ପରା
ଜାଳକୁ ଯୋଗ୍ଯ ନ ହେବ,
ପୋକ ଲାଗିବ କି ଉଇ ଖାଇଯିବ
କିଏ ବା ତାହା ଜାଣିବ ।
ଉପରେ ଯେ ଯାଏ ଥିଲି ସେ ପର୍ଯ୍ୟନ୍ତ
ସବୁରି ଆଦର ଥିଲା,
କିଏ ନେଇ ବୁଣୁଥିଲା ଯେ ଆସନ
କିଏ ବୁଣୁଥିଲା ଡାଲା ।
ରୋଜଗାର ହେଉଥିଲା ମୋତେ ନେଇ
କିଛି ଅଭାବ ନଥିଲା,
ପାହାଚେ ଖସିଲି ତଳକୁ ଯେମିତି
ମୋ' ଠାରୁ ଆଦର ଗଲା ।
ତଥାପି ଛାଡିଲେନାହିଁ ମୋତେ କେହି
ଛପର ପାଇଁ ଲୋଡିଲେ,
ମୁଣ୍ଡ ଉପରକୁ ଛାତଟିଏ କରି
ମୋତେ ବ୍ଯବହାର କଲେ ।
ଉପରେ ଥିବାରୁ ହସ ଫୁଟୁଥିଲା
ଦେଖୁ ନଥିଲି ତଳକୁ,
ମଝିକୁ ଆସିବାଠାରୁ ମନେ ଚିନ୍ତା
ଆସେ ବେଳ ଝଡିବାକୁ ।
ଜୀବନ ଏପରି କ୍ରମାଗତ ଭାବେ
ଦିନକୁ ଦିନ ଖସୁଛି,
କିଏ ସରପୁଳି କିଏ ଭାତ ଡାଲି
କିଏ ଉପାସ ରହୁଛି ।
ଆସିଅଛି ଯିଏ ଯିବାକୁ ପଡିବ
ମନରେ ନ ବାନ୍ଧ ବନ୍ଧ,
ଟଳିଯିବ ଦିନେ ଗଳିଯିବ ଦିନେ
କେବେ ନ ରହିବ ଦମ୍ଭ ।