ତିନୋଟି ପ୍ରଶ୍ନ
ତିନୋଟି ପ୍ରଶ୍ନ
ପ୍ରଶ୍ନ ତିନି ମୋର ଦେବକି ଉତ୍ତର
ପଚାରୁଛି ବନ୍ଧୁ ବୋଲି,
ଛଳନା ନକରି କୁହହେ ମୁରାରି
ପ୍ରଶ୍ନ ଗୋଡି ଥୋଇ ଦେଲି ।
ଖାଇଥିଲ ମାଟି ଦେଖାଇଲ ପାଟି
ଯେବେ ପଚାରିଲେ ମାଆ,
ନିମିଷକ ପାଇଁ ବ୍ରହ୍ମାଣ୍ଡ ଦେଖାଇ
ବୁଲାଇଲ ତାଙ୍କୁ ଭୁଆଁ ।
ଦେଖାଇ ଚାତୁରୀ ମନ କଲ ଚୋରୀ
ବୃଷଭାନୁ ଜେମାଙ୍କର,
ବଇଁଶୀ ବଜାଇ କଲ ତାଙ୍କୁ ବାଇ
ସାଜି ରସିକ ପ୍ରବର ।
ଗୋପେ ଗୋପାଙ୍ଗନା କଲ ବିବସନା
ପିନ୍ଧା ବସ୍ତ୍ର କରି ଚୋରୀ,
ଚୋରାଇ ଖାଇବା ମାଠିଆ ଭାଙ୍ଗିବା
କେମିତିକା ବାହାଦୁରୀ ।
ମିଛ, ପ୍ରେମ, ଚୋରୀ ଏ ତୁମ ଚାତୁରୀ
ଥିଲା ପିଲାଦିନ କଳା,
ଅପଯଶ ହେଲ କେଉଁ ଶିକ୍ଷା ଦେଲ
କୁହ ଆହେ ନନ୍ଦବଳା।
ଏମିତି ଉତ୍ତର ଆଶା ଅଛି ମୋର
ଛଳନା ନଥିବ ତହିଁ,
ବନ୍ଧୁଠାରେ ଯେବେ ଛଳକର ତେବେ
କଥା ହେବିନାହିଁ ମୁହିଁ ।