ତିନି ତୁଣ୍ଡରେ ଛେଳି କୁକୁର
ତିନି ତୁଣ୍ଡରେ ଛେଳି କୁକୁର
ଅଚାନକ
ଏକ ଅଭାବନୀୟ ପରିସ୍ଥିତିରେ
ମୁଁ ଆବିଷ୍କାର କରେ ମୋ ନିଜକୁ;
ଅସଂଖ୍ୟ ଜେରାର ସମ୍ମୁଖୀନ ହୋଇ,
ଅଭିଯୋଗର କାଠଗଡାରେ ।
ନ୍ୟାୟାଳୟର ଦରବାରରେ
ବିଚାରପତିଙ୍କ ଆସନରେ ଅଳଙ୍କୃତ
ପଞ୍ଚତନ୍ତ୍ରର ସେ ଭଲ୍ଲୁକ ମହାରାଜା,
ଆଉ ତାଙ୍କ ସହିତ ଆସୀନ
କେତେଜଣ ସହଯୋଗୀ ;
କିଛି ନୀଳ ବର୍ଣ୍ଣ ଶୃଗାଳ ତଥା ଆଉ କିଛି
ପ୍ରସୂତି ମାତା କୋକିଳର ବଂଶଧର।
ସମ୍ଭବତଃ
ମୋ ଅପାରଗ ପଣିଆ ପାଇଁ
ଅଭିଯୋଗର ଠିକ ଭାବେ
ସାମନା କରି ନପାରି ,
ପ୍ରଶ୍ନ ବାଣରେ ବିଦ୍ଧ ହୋଇଯାଏ
ମୋର କୋମଳ ହୃଦୟ ।
ଏବଂ
ନିର୍ଦ୍ଦୋଷତାର ପ୍ରମାଣ ପାଇଁ
ଆପଣାର ସପକ୍ଷରେ
ସାକ୍ଷୀ ଯୋଗାଡ କରି ନପାରି,
ଅନ୍ଧାରି ଗଳିର ବୁଲା କୁକୁରରେ
ରୂପାନ୍ତରିତ ହୋଇଯାଏ
ମୋ ପରି ନିରୀହ ଛେଳିଟି ।
ବିକଳରେ ମେଁ ମେଁ ଚିତ୍କାର କରି
ବାହୁନି ଉଠେ ଖୁବ ଜୋରରେ
କିଂକର୍ତ୍ତବ୍ୟ ଶୂନ୍ୟ ହୋଇ,
ମୋ ଅସହାୟତାକୁ ବୋଧ ଦେବା ପାଇଁ ।
ତତକ୍ଷଣାତ୍ !
ଅଟ୍ଟହାସ୍ୟର ଫାଙ୍କ ଗୁଞ୍ଜରଣ
ଖେଳିଯାଏ ଅଦାଲତ ସାରା ।
"କୁକୁରଟି ଛେଳି ପରି ବୋବେଇବାର କଳାଟି
ଖୁବ ଆପଣେଇ ପାରିଛି ସତେ!",
ମନ୍ତବ୍ୟଟି ପ୍ରତିଧ୍ବନିତ ହୋଇ ଉଠେ ଚାରିଆଡେ।
ଆଉ!
ଅଭିଯୋଗ ସବୁ ସତ୍ୟ ରେ ପରିଣତ ହୋଇଯାଏ।
ଅଶାନ୍ତ ମନର ନିରୀହ କପୋତିଟି
ବିଳପି ଉଠେ, ଗୁମୁରି - ଗୁମୁରି।
ଅସୂୟାର ତତଲା ନିଃଶ୍ୱାସ ସବୁ
ଭୁସ୍ ଭୁସ୍ ବାହାରି ଯାନ୍ତି
ମୋ ନାସିକା ଫାଙ୍କରୁ;
ଠିକ ଯେମିତି
ପ୍ରାକ ସ୍ୱାଧୀନତା ଯୁଗ ରେଳ ଇଂଜିନରୁ
ନିର୍ଗତ କୋଇଲାର କଳା ଧୂଆଁ ପରି ।
ଚାହୁଁ ଚାହୁଁ
ମୋ ଦେହ ମୁହଁ ନେସି ହୋଇ ଜମିଯାଏ
ସେଇ କଳା ଧୂଆଁର ଲହରୀ ।
ଆଉ ମୁଁ!
ଛାଟି ପିଟି ହୋଇ ଦୌଡ଼ି ପଳାଏ
ଶ୍ୱାସ ରୁଦ୍ଧ ହୋଇ,
ଠିକ ପଳାୟନପନ୍ଥୀଟିଏ ପରି ।
