ଥୁଣ୍ଟାଗଛ
ଥୁଣ୍ଟାଗଛ
ରାସ୍ତାକଡରେ ମୂକସାକ୍ଷୀ ପରି
ଦଣ୍ଡାୟମାନ ମୁଁ ହୋଇଚି |
ଶୀତ ବରଷାର ଝାଞ୍ଜି ଝଡକୁ
ଚୁପ ଚାପ ସହିଯାଇଚି ||୧||
କେତେବେଳେ ଶୁଣେ ପ୍ରେମୀ ପ୍ରେମିକାଙ୍କ
ଗୁପ ଚୁପ ପ୍ରେମାଳାପ |
ନିଃଶବ୍ଦ ଭାଷାରେ କହିଯାଏ କେତେ
ଅନକୁହା ସନ୍ତାପ ||୨||
ମଧ୍ୟ ରାତ୍ରିରେ ମନମତ୍ତାଣିଆ
ମଜାଳିଆ କଥା ଶୁଣି |
ମନ ମୋର କେତେ ପ୍ରଫୁଲ୍ଲିତ ହୁଏ
ବାଟ ଚାହିଁଥାଏ ପୁଣି ||୩||
ବୃଦ୍ଧ ମାତାପିତା କହିଯାଉଥା’ନ୍ତି
ବୁକୁତଳର ସେ ବ୍ୟଥା |
ଅସହାୟ ମୁହିଁ ସାନ୍ତ୍ଵନା କି ଦେବି
କହି ତ ପାରୁନି କଥା |୪||
ହେଉଥିଲା ଦିନେ ମୋର ବୁକୁତଳେ
ଦ୍ରୌପଦୀ ବସ୍ତ୍ରହରଣ |
ଢାଳିପାରିଲିନି ଲୁହ ଟୋପାଏ ବି
ଧିକ୍କାର ମୋର ଏ ଜୀବନ ||୫||
ଚିରିଦିଅ ମୋର ଏହି ଶରୀରକୁ
ଖଣ୍ଡ ଖଣ୍ଡ ଖଣ୍ଡ କରି |
ମାରଣାସ୍ତ୍ର କରି ଦୁର୍ବୃତ୍ତମାନଙ୍କୁ
ଦଣ୍ଡ ଦେଉଥାଅ ଧରି ||୬
ଜୀବନଟା ମୋର ନିରର୍ଥକ ଆଜି
ପଥିକ ପାଏନି ଆଶ୍ରୟ |
ହୋଇଯାଉ ଏହି ଦେହଟି ମୋହର
କଉଡି କଉଡିରେ ବିକ୍ରୟ ||୭||
