ତାରକାର ମୃତ୍ୟୁ
ତାରକାର ମୃତ୍ୟୁ
କେତେ କୋଟି ବର୍ଷ ଆୟୁ ତା' ବିମର୍ଶ
କଲେ କେ ପାରିବ କଷି,
ଦେଖୁ ଦେଖୁ ଲୋଟି ତାରା ଏକ ଗୋଟି
ଖ'ମଣ୍ଡଳୁ ଗଲା ଖସି ।
ବିଚିତ୍ର ବି ଲାଗେ କଉତୁକ ଜାଗେ
ଖଗୋଳ ବିଜ୍ଞାନ କଥା,
ରହସ୍ୟ ଗହନ ଅବଶ୍ୟ ବହନ
ଘୁରାଇ ଦିଏ ମୋ ମଥା ।
ଯିଏ ଯାଏ ମରି ଜାତ ଆଗୁସରି
ହୋଇଥିବ ନିଶ୍ଚେ ଜାଣ,
ବ୍ରହ୍ମାଣ୍ଡ ନିଳୟେ ସୃଷ୍ଟି ଓ ବିଲୟେ
କଥାରେ ରହିଛି ଶାଣ ।
ନିଖିଳ ଜଗତ ସୂତ୍ରେ ତ ପ୍ରଗତ ( ବିଯୁକ୍ତ )
ଅନ୍ତରାଳେ ଯେଉଁ ଶକ୍ତି,
ଭାଗବତ ଜ୍ଞାନେ ଚିନ୍ତା କଲେ ଧ୍ୟାନେ
ମନରେ ଜାଗଇ ଭକ୍ତି ।
ସତ୍ୟ ଏ ନିରାଟ ରୂପ ସେ ବିରାଟ
ଗର୍ଭେ ଯାର ଆତଯାତ,
ସଂହାର ଓ ସୃଷ୍ଟି ଅହରହ ବୃଷ୍ଟି
ନିର୍ଗୁଣ ବ୍ରହ୍ମରେ ଖ୍ୟାତ ।
କରନ୍ତି ନିଗ୍ରହ ( ଦମନ ) ନକ୍ଷତ୍ର ଓ ଗ୍ରହ
ବ୍ରହ୍ମାଣ୍ଡେ ସେ ଅନ୍ତହୀନ,
ଭ୍ରମି ନିଜ କକ୍ଷେ ଅନ୍ତିମ ସେ ଲକ୍ଷ୍ୟେ
ସର୍ବେ ହୋଇଥାନ୍ତି ଲୀନ ।
ଯେତେ ସୂର୍ଯ୍ୟ ସମ ତାରକା ବିଷମ
ଆକାଶଗଙ୍ଗା-ନିହିତ,
ନାହିଁ କା' ନିସ୍ତାର ସୂତ୍ର ଯା' ବିସ୍ତାର
ଶାସ୍ତ୍ରାନୁମତେ ବିହିତ ।
ଏତେ ଅବରୋଧ ଥାଉଁ କେତେ ବୋଧ
ଏ ଛାର ମନୁଷ୍ୟ ଚିତ୍ତେ,
ନ ରଖି ବିକାର ପରଖି ସ୍ୱୀକାର
କରିଲେ ନିର୍ମୋହ ବିତ୍ତେ ।
ପ୍ରସନ୍ନ କୁମାର ମାଦଳା