ତାରା
ତାରା
ସମୟ ସରିତର ପ୍ରତିକୂଳେ
ପହଁରି ପହଁରି
ମନ୍ଥେ ଯେବେ
ମୋ ପୂର୍ବଜଙ୍କ ଗଚ୍ଛିତ ବାଣୀ ସମ୍ଭାରକୁ
ମିଟ୍ ମିଟ୍ କରୁଥିବା
ଅମଳିନ ତାରକାପୁଞ୍ଜ
ବିମୋହିତ କରେ ମୋର ଚିନ୍ତା ଓ ଚେତନାକୁ ।
ଭୀଷଣ ମହାଭାରତ ଆହବେ
ସପ୍ତରଥୀର ବ୍ୟୂହ ଭେଦ କରି
ଅନ୍ତିମ ଶ୍ୱାସ ପର୍ଯ୍ୟନ୍ତ
ଲଢ଼େଇ କରି ପାଣ ମୂର୍ଛି ଦେଇ
ବୀର ବାଳକ ଅଭିମନ୍ୟୁ
ପୁରାଣ ପୃଷ୍ଠାରେ ଭାରତ ବକ୍ଷରେ
ପାଲଟି ଗଲେ ଉଜ୍ଜ୍ୱଳ ତାରକାଟିଏ
କୀର୍ତ୍ତି ରହିଲା ଯୁଗ ଯୁଗକୁ ।
ଉତ୍କଳର ଉତ୍କର୍ଷ କଳାପୃଷ୍ଠାରେ
ବାରଶହ ବଢେଇର ପ୍ରାଣରକ୍ଷା ପାଇଁ
କୋଣାର୍କର ମୁଣ୍ଡିମାରି
ଅଥଳ ସାଗର ବୁକୁରେ
ବିଲୀନ ହୋଇଥିଲେ ମଧ୍ୟ
ଆଜିବି ତାରାଟିଏ ସାଜି ଧରମା
ଝଲସାଉଛନ୍ତି କଳାର ଇତିହାସ ପୃଷ୍ଠାକୁ ।
ନିଷ୍ଠୁର ଇଂରେଜର କ୍ରୂର ଗୁଳିକୁ ବେଖାତିର କରି
ଜନ୍ମମାଟି ପାଇଁ ଛାତି ଡେରି
ତାଙ୍କ ଗୁଳିକୁ ସ୍ୱାଗତ କରିଥିଲା ବୋଲି
ତେର ବର୍ଷର ବାଜିଆ
ଦେଶ ଭକ୍ତିର ପରାକାଷ୍ଠା ଦେଖାଇ
କୁନି ତାରାଟିଏ ହୋଇ
ଆଲୋକିତ କରୁଛନ୍ତି
ସ୍ୱାଧୀନତା ଆନ୍ଦୋଳନର ଇତିହାସକୁ
ବତୀଘର ସାଜି
ପଥ ଦେଖାଉଛନ୍ତି ପରବର୍ତ୍ତୀ ପୀଢିକୁ ।
କର୍ପୂର ଯାଇଛି କନା ତ ରହିଛି
ଆଜି ବି
ଏହିପରି ଶତ ଶତ ତାରକା
କୋଳମଣ୍ଡି ଗୌରବାନ୍ୱିତ କରୁଛନ୍ତି ଭାରତମାତାକୁ ।
ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ
ତାଙ୍କ ପାଦଚିହ୍ନରେ ପାଦ ଥାପି ଥାପି
ଶାନ୍ତି,ମୈତ୍ରୀ ଓ ବୀରତ୍ୱକୁ ପାଥେୟ କରି
ତାରା ହୋଇ ଗୁନ୍ଥି ହେବା ସର୍ବେ
ଭାରତକୁ ବିଶ୍ୱଗୁରୁ କରିବାକୁ ।
