ସୁରେନ୍ଦ୍ର ସାଏଙ୍କ ସ୍ମରଣେ
ସୁରେନ୍ଦ୍ର ସାଏଙ୍କ ସ୍ମରଣେ
ସମ୍ବଲପୁରଠାରୁ ପ୍ରାୟ ୪୦କି.ମି. ଦୂରରେ ଛୋଟ ଗାଁଟିଏ, ତାର ନାମ, ଖିଣ୍ଡା। ଏହା ମହାନ ସେନାନାୟକ ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି । ଭାରତୀୟ ମୁକ୍ତିସଂଗ୍ରାମ ସିପାହୀ ବିଦ୍ରୋହର ୧୭ ବର୍ଷ ପୂର୍ବରୁ ଏବଂ ଏହା ପ୍ରଶମିତ ହେବାର ୫ ବର୍ଷ ପର୍ଯ୍ୟନ୍ତ ସୁରେନ୍ଦ୍ର ସେନାର ଅସ୍ତ୍ରଝଙ୍କାର ଶବ୍ଦରେ ପ୍ରକମ୍ପିତ ହେଉଥିଲା ଖିଣ୍ଡାର ସମଗ୍ର ଅଞ୍ଚଳ । ଏଇ ଖିଣ୍ଡା ଦେଖିଛି ପାରିବାରିକ ସମ୍ପର୍କକୁ ତୁଚ୍ଛ କରି ଅଦୃଷ୍ଟ ଆଡ଼କୁ ଅଶ୍ୱ ଝପଟାଇ ଅଦୃଶ୍ୟ ହୋଇଯାଉଥିବା ସୁରେନ୍ଦ୍ରଙ୍କୁ । ଅଗ୍ରଜଙ୍କ ଆହ୍ୱାନରେ ନିଜ ସ୍ବାର୍ଥ, ଭବିଷ୍ୟତକୁ ପଦାଘାତ କରି ଯୁଦ୍ଧ ଭୂଇଁକୁ ସର୍ବଦା ଡେଇଁ ପଡୁଥିବା ତାଙ୍କ ପାଞ୍ଚ ଭାଇ ଉଦନ୍ତ, ଧ୍ରୁବ, ଉଜ୍ଜ୍ୱଳ,
ଛବିଳ ଓ ମେଦିନୀ ଙ୍କୁ ।ଭାଇମାନଙ୍କ ସହ ତରୁଣପୁତ୍ର ମିତ୍ରଭାନୁ ଏବଂ କମଳ ସିଂହଦେଓ, କୁଞ୍ଜଳ ସାଏ, ବୈରୀ ସାଏ, ହାତୀ ସାଏ, ଖଗେଶ୍ୱର ଦେଓ, ଲୋକନାଥ ଗଡତ୍ୟା, ଶାଳିଗ୍ରାମ ବରିହାଙ୍କ ପରି ବୀର ମୁକ୍ତିପାଗଳ ମୁକ୍ତି ଯୋଦ୍ଧା ମାନଙ୍କୁ ନେଇ ସୁରେନ୍ଦ୍ର ସେନାର ସାହସ, ତ୍ୟାଗ, ରଣକୌଶଳ, ବୀରତ୍ୱ ସମ୍ମୁଖରେ ପ୍ରବଳ ପରାକ୍ରମୀ ବ୍ରିଟିଶସେନା ଅସହାୟ ହୋଇଥିଲା ।
ଜଙ୍ଗଲଯୁଦ୍ଧରେ ଅସାଧାରଣ ଦକ୍ଷ ସୁରେନ୍ଦ୍ରସେନା ପ୍ରତି ରାୟପୁରରୁ ସମ୍ବଲପୁର, ସମ୍ବଲପୁରରୁ ସିଂହଭୂମି ପରି ବିଶାଳ ଅଞ୍ଚଳରେ ଜନ ସାଧାରଣଙ୍କ ଅପୂର୍ବ ସହଯୋଗ, ଅଦ୍ଭୁତ ରଣସଜ୍ଜା, ଅନନ୍ୟ ରଣନୀତିକୁ ଧ୍ୟାନରେ ରଖି ତତ୍କାଳୀନ କଟକ କମିଶନର କକବର୍ଣ୍ଣ ଅତ୍ୟନ୍ତ ଚତୁରତାର ସହ ନାଗପୁର, ରାୟପୁର ଏବଂ କଟକପଟୁ ବିଶାଳ ସେନାବାହିନୀ ଯୋଗେ ଆକ୍ରମଣ କରିଥିଲେ ହେଁ ସଫଳ ହୋଇପାରି ନ ଥିଲେ । ମେଜର ଇମ୍ପେଙ୍କ ଶାନ୍ତି ପ୍ରସ୍ତାବରେ ରାଜି ହୋଇ ସୁରେନ୍ଦ୍ର ସଦଳବଳେ ଆତ୍ମସମର୍ପଣ କରିଥିଲେ ୧୮୬୨ ମସିହାରେ । ମାତ୍ର ବିଶ୍ୱାସରେ ବିଷ ଦେଇ ସେମାନଙ୍କୁ ଧରିବା ପାଇଁ ଗୋରା ଶାସକ ଯେଉଁ ହୀନ ରାସ୍ତା ବରଣ କରିଥିଲେ ତାହା ଇତିହାସରେ କାପୁରୁଷତାର ନିଦର୍ଶନ ହୋଇ ରହିବ କଳକାଳକୁ । ଅନ୍ୟ ପକ୍ଷରେ ମା' ମାଟି ପାଇଁ ସମ୍ବଲପୁର ମାଟିର ସେଇ ସୁପୁତ୍ରମାନଙ୍କର ଅସାଧାରଣ ସାହସ ଓ ବୀରତ୍ୱ ସହ ସେମାନଙ୍କ ଅସୀମ ତ୍ୟାଗ, ବଳିଦାନ, ଯନ୍ତ୍ରଣା ବିଶ୍ୱର ସମସ୍ତ ଦେଶପ୍ରେମୀମାନଙ୍କ ପାଇଁ ଦୃଷ୍ଟାନ୍ତ ହୋଇ ରହିବ ଚିରକାଳ। ଦୁର୍ଦ୍ଧର୍ଷ ସଂଗ୍ରାମୀର ଜୀବନ ଜୀଇଁଥିବା ସୁରେନ୍ଦ୍ର ହିଁ ଲଢିଥିଲେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଦେଶର ସବୁଠାରୁ ଦୀର୍ଘ ସଂଗ୍ରାମ (କୋଡ଼ିଏ ବର୍ଷ କାଳରୁ ଅଧିକ) । ବୀର ସୁରେନ୍ଦ୍ର ସାଏଙ୍କର ମହନୀୟତା, ଦେଶବାସୀଙ୍କୁ ଯୁଗେ ଯୁଗେ ଅନୁପ୍ରେରଣା ଯୋଗାଇବ। ସହ ସେ ଏ ଦେଶର ମୂଲ୍ୟବାନ ସମ୍ବଳରୂପେ ଚିରକାଳ ପୂଜନୀୟ ।
ଏହି ମହାନ ମୁକ୍ତିଯୋଦ୍ଧାଙ୍କ ପ୍ରତି ଆଜିର ଜନ୍ମଦିବସରେ (ଜାନୁୟାରୀ ୨୩) ମୋର ଓ ଓଡ଼ିଆ ଜାତିର ପ୍ରଣାମ ।