STORYMIRROR

Hitendra Mohanta

Others

3  

Hitendra Mohanta

Others

ସୁଙ୍କି ଘାଟିରେ ସୂର୍ଯ୍ୟାସ୍ତ

ସୁଙ୍କି ଘାଟିରେ ସୂର୍ଯ୍ୟାସ୍ତ

1 min
13.2K



ହିତେନ୍ଦ୍ର ନାଥ ମହାନ୍ତ


କଳା ମଚ ମଚ ରାସ୍ତା

ଫୁଲେଇ ନଈର ଆନମନା ପ୍ରବାହ

ସାଗରକୁ ଚୁମିବାକୁ ଅଥୟ ପରିକା

ଅଙ୍କାବଙ୍କା ଠାଣିରେ ଗତିଶୀଳ

ଦୂର ଦିଗ୍ ବଳୟରେ ଚହଟୁଥିବା

ଲକ୍ଷ୍ୟର ପାରିଜାତକୁ ତୋଳିବାକୁ

ନୀରବରେ ଛଞ୍ଚାଣର ଏକାଗ୍ରତାକୁ ସାଉଁଟି ॥

ରାସ୍ତା ଉପରେ ଧୂଳି ବାଲିର

ହାଲକ‍ା ଫୁଲକା ଆସ୍ତରଣ

ଠାଏଁ ଠାଏଁ ଗୋଡି ମାଟିର

ଅନାବନା ଆବରଣ ;

ଚିକମିକ ହୋଇ ଝଲସି ଉଠୁଛି

ଅମାକାଶର ନକ୍ଷତ୍ରପୁଞ୍ଜ ଭଳି

ସୂର୍ଯ୍ୟାସ୍ତର ଶେଷ ସ୍ୱର୍ଣ୍ଣାଭକୁ ଛାତିରେ ଜାବୁଡି ॥॥

ଗୋଟେ ପଟେ ମୁଷ୍ଟିମେୟ ଦ୍ରୁମ

ବୁଢିଆଣୀ ଜାଲ ପରି ଛନ୍ଦାୟିତ ଗୁଳ୍ମ

ବଣ ଜଙ୍ଗଲ ଘେରା ଅଗମ୍ୟ ପର୍ବତମାଳା

ସାବଧାନ ଭଙ୍ଗୀରେ ପଥିକକୁ କରୁଛି ସଲାମ ;

ଅନ୍ୟପଟରେ ସବୁଜିମାର ବହଳ ବଳୟ

ଢେଉ ଢେଉକା ହୋଇ ଓହ୍ଲାଉଛି ତଳକୁ

ସବୁଜ ପାହାଚରେ ଥିରି ଥିରି

କୁନି ପାଦକୁ ଥାପି ଥାପି ;

ସ୍ୱାଗତ କରୁଛି ରାସ୍ତାର ପଥିକକୁ

ନିରୀମାଖି ଶ୍ୟାମଳାଙ୍ଗୀ ଉପତ୍ୟକା

ଗୋଧୂଳି ସମୀରରେ ଝୁଣ୍ଟି ପଡୁଥିବା

ସବୁଜ କାନିକୁ ଓଠରେ କାମୁଡି ॥॥॥

ବିଛୁରିତ କର୍କଶ ପଥର ଦେହରେ

ଅସ୍ତରବିର ମନୋରମା ମସୃଣତା

ଉଠାଣି ଗଡାଣି ରାସ୍ତାରେ

ଦୋଳାୟମାନ ଯାତ୍ରାର

ଅଫୁରନ୍ତ ମାଦକତା

ଦୁର୍ଗମ ପାହାଡି ଇଲାକାରେ

ରକ୍ତପାତ କରୁଥିବା

ମାଓ ଭୟ ର ରାଜକତା ;

ଏଇ ପ୍ରୀତି ଆଉ ଭୀତିର

ଉଚ୍ଚାଟିତ ମନକୁ ଆହୁରି ଶିହରିତ କରନ୍ତି

ରାସ୍ତା କଡେ କଡେ ପଇଁତରା ମାରୁଥିବା

ସୀମା ସୁରକ୍ଷା ବଳର ସିପାହୀ ;

ସମର୍ପିତ ଭାବରେ ଶାନ୍ତି ଭଙ୍ଗକାରୀର

ନିପାତ ଲାଗି ରକ୍ତକୁ ନିଗାଡି

ଅସ୍ଥିରତାର ମୂଳୋତ୍ପାଟନ ପାଇଁ

ଜୀବନକୁ ଫୋପାଡି ॥॥॥॥

ବିସ୍ତାରିତ ସୋରିଷ ଫୁଲର

ଦିଗନ୍ତ ବ୍ୟାପୀ ଲାସ୍ୟମୟୀ ରୂପ

ସତେକି ଚପଳା ବାଳା ଦେହେ ବୋଳା

ସବୁଜ ପରିପାଟୀର ପଣତରେ

ହଳଦୀ ବାସନ୍ତୀର ଛାପ ;

ଶାଳ ଫୁଲର ସୁବାସ ସୁରଭି

ଘି କୁଆଁରିର ସୁଠାମ ମହକ

ମହୁଲ ଫୁଲର ମଧୁଝରା ବାସ୍ନା

ଭାବପ୍ରବଣତା ଗୁନ୍ଥି ଚାଲିଛି

ସରଳା କିଶୋରୀ ତନୁରେ

ପ୍ରଗଳ୍ଭତାର ମେଞ୍ଚା ମେଞ୍ଚା ଜ୍ୟୋତ୍ସ୍ନା ;

ପଥହୁଡା ଜଙ୍ଗଲି ଚଢେଇର କଳରବ

ନୀଡଫେରା ପାହାଡି ପକ୍ଷୀର କାକଳି

ତୋଳି ଧରୁଛି ସଙ୍ଗୀତର ସାତସୁର

ରୋମାଞ୍ଚିତ ଶିହରଣରେ ଲାଜେଇକି

ମୁହଁ ଲୁଚାଇଲା ଅସ୍ତମିତ ସୂର୍ଯ୍ୟ

ଅନୁରାଗର ବଂଶୀଧ୍ୱନିରେ ମିଳାଇଗଲା

ସୁରଛନ୍ଦା ପ୍ରୀତିନନ୍ଦାର ଅଭିସାର ;

ମଲ୍ଲୀଫୁଲିଆ ହସଟେ ହସି ଅଧାମୁହଁ

ଦେଖାଇଲା ଫାଳକିଅା ଜହ୍ନ

ପ୍ରକୃତିର ନୈବେଦ୍ୟକୁ ସୋହାଗରେ ସଜାଡି ॥॥॥॥॥


Rate this content
Log in