ସୁନାବୋହୂ
ସୁନାବୋହୂ
ଥିଲା ଅଲିଅଳି ଝିଅ
ସୁନା ଗୋରା ତାର ଦେହ
ଛାଡି ପିଲାବେଳ ଧୂଳିଖେଳ
ବାପାଙ୍କ ପାଖରେ ଗେଲ
ବୋଉ ପାଖେ ଯେତେ ଅଳି
ଦାଦାଙ୍କର ଛାଡି କୋଳ
ସାଧବ ବୋହୂ ରଂଗ ପାଟପିନ୍ଧି
ପାଦରେ ପାଉଁଜି ଛନ୍ଦି
ପାଦରେ ନାଲି ଅଳତା
ମଥାରେ ସିନ୍ଦୂର ନାଇ
ଛୁପି ଛୁପି ପାଦ ଥାପି
କଜଳ ଲଗା ସେ ଆଖି
ଆଖିରେ ସପନ ମାଖି
ଲୁହ କୋହ ସବୁ ଚାପି
ନୂଆ ବୋହୂଟିଏ ସାଜି
ବାପାଙ୍କ କଥାକୁ ରଖି
ଦୁଇ କୁଳ ଲାଗି ଦୁହିତା ଜନମ
ମଥା ରଖିଥିବୁ ଟେକି
ପରକୁ କରି ଆପଣା
ଭୁଲିବୁ ଘର ଅଗଣା
ମାନିବୁ ସବୁ ସଣ୍ଠଣା
ଭଲ ବୋହୂରେ ହେବୁ ତୁ ଗଣା
ମନେ ରଖି ବାପାଙ୍କ କଥା
ବୋହୂ ସାଜଇ ବନିତା
କିଏ ବୁଝେନା ଅନ୍ତର ବ୍ଯଥା
ବିଧିର ବିଚିତ୍ର ପ୍ରଥା
ଝିଅ ଭାଗ୍ଯରେ ତ ଲେଖା
ଟୋପାଏ ସିନ୍ଦୂର ଦୁଇପଟ ଶଙ୍ଖା
ବଦଳାଏ ଭାଗ୍ଯରେଖା
ଝିଅରୁ ହୁଏ ସେ ବୋହୂ
ସହିବା ଶକତି ପାଏ ସେ କାହୁଁ!
ସଂସାରର ରଥ
ବାହି ନେଇଥାଏ
ଯେତେ ଦୁଃଖ ସୁଖ ଆସୁ
ସିଏ ପରା ସୁନା ବୋହୂ
ତା ପରି ହେବ କେ ଆଉ !
