ସୁକନ୍ୟା
ସୁକନ୍ୟା
1 min
195
ମୋ'ପ୍ରିୟା ମନ୍ଦିର କାହିଁ କେତେ ଦୂର,
ଅଳକା ପୁରୀର
ଅପୂର୍ବ ପୁର ।
ଭାବରେ ଭାବରେ ସ୍ୱପ୍ନରେ ସ୍ୱପ୍ନରେ
ମୋ'ମନ ରାଇଜ
ପ୍ରେମ ନଗର ।
ଦକ୍ଷିଣା ପବନ ଆତଯାତ ହୁଏ
ପ୍ରିୟା ଅଗଣାରେ
ପ୍ରୀତି ରୂପରେ ।
ଜହ୍ନ ରାଇଜରୁ ତାରା ମାନେ ଖସି
ଚହଟ ମାରନ୍ତି
ମନ ଖୁସିରେ ।
ମଳୟ ମାଳତୀ ମନ୍ଦ ମନ୍ଦ ଗୀତି
ଧୀରେ ଧୀରେ ଗାଇ
ସୁରଭି ଢାଳେ ।
ମୋ'ପ୍ରିୟା ପଣତ ଉଡ଼ି ଉଡ଼ି ଯାଇ
ପରଜାପତିକୁ
ଛୁଏଁ ସଅଳେ ।
ବଉଦ ମାନେ ବି କଥା କହୁଥାନ୍ତି
ଉଡ଼ି ଉଡ଼ି ଆସି
ପ୍ରିୟା କାନରେ ।
ପରଜା ପତି ତା' ରୂପ ରଙ୍ଗ ନେଇ
ଭସା ମେଘ ସାଥେ
ପ୍ରଣୟ କରେ ।
କଜଳ ପାତିର ଡେଣା ଝାଡ଼ି ଦିଏ
ମୋ'ପ୍ରିୟା ଆଖିର
କଜଳ ଗାର ।
ମହୁ ଝରେ ତା'ର କଅଁଳ ଅଧରେ
ରଙ୍ଗରେ ତା'ଓଠ
ମୃଦୁ ମନ୍ଦାର ।
କୋଟିଏ ପଣରେ ଗୋଟିଏ ପରୀ ସେ
ସୁନ୍ଦରୀମାନେ ତା'
ସାଥି ସଙ୍ଗାତ ।
ବିଶ୍ୱ ସୁନ୍ଦରୀକୁ ବିଶଲ୍ୟ କରଣୀ
ଅପ୍ସରୀ ମାନେ ତା'
ମନର ମିତ ।
ବଉଳର ବାସ୍ନା ଫିକା ଫିକା ଲାଗେ
ତା'ମନ ମହକ
ଏତେ ମଧୁର !
ବେଣୀରେ ତାହାର ଚହଟ ଚମ୍ପା
ହୃଦୟେ ଆଙ୍କିଛି
ଲକ୍ଷ୍ମୀଙ୍କ ଘର ।
ବର୍ଣ୍ଣିବାକୁ ଆଉ ପାଉନାହିଁ ଭାଷା
ପ୍ରିୟା ମୋ'ଲଳନା
ହସ ସମ୍ଭାର ।
ଓଡ଼ିଆ ମାଟିର ସୁକନ୍ୟା ସୁନା ସେ
ଵିନମ୍ର ଲହରୀ
ନୀଳ ସାଗର ।