ସୁଖୀ ପରିବାର
ସୁଖୀ ପରିବାର
ରାଗ -ରାମକେରୀ ।
***************
ରକ୍ତର ସମ୍ପର୍କ ଯେଉଁଠି
ପରିବାର କୁହନ୍ତି
ପିତା ମାତା ଭାଇ ଭଉଣୀ
ଏକାଠି ଯେ ରୁହନ୍ତି ।
ସ୍ନେହ ଶ୍ରଦ୍ଧା ସଦା ଝରଇ
ପର ଆପଣା ନାହିଁ
ମନ ମାଳିନ୍ୟ ଯେ ନ ଥାଏ
ଶାନ୍ତି ବିରାଜ ତହିଁ ।
ମାନ ଅଭିମାନ ଆସିଲେ
କ୍ଷଣେ ଯାଏ ଉଭେଇ
ବିପଦ ଆପଦେ ପଡିଲେ
ଥାନ୍ତି ଏକାଠି ହେଇ ।
ହସ ଖୁସି ମନେ ରୁହନ୍ତି
ହିଂସା କପଟ ନାହିଁ
ଛଳନା ମନରେ ନ ରଖି
ଭଲ ପାଆନ୍ତି ସେହି ।
ସେବା ସାହାଯ୍ୟ ଯେ କରନ୍ତି
ସିଏ ପରସ୍ପରକୁ
ଅତିଥିଙ୍କ ସେବା କରନ୍ତି
ଆସିଲେ ସେ ଘରକୁ ।
ମନେ ସ୍ୱାର୍ଥ ଭାବ ରଖିଣ
କିଛି କରନ୍ତି ନାହିଁ
ସୁଖୀ ପରିବାର ତାହାକୁ
ସର୍ବେ ଥାଆନ୍ତି କହି ।
ଗୁରୁଜନ ପ୍ରତି ସମ୍ମାନ
ସଦା ରହିଣ ଥାଏ
ଶାଶୁ ଶଶୁରଙ୍କୁ ଦେବତା
ତୁଲ୍ୟ ମଣନ୍ତି ସିଏ ।
ସମସ୍ତଙ୍କ ମନ ନେଇଣ
ସମସ୍ତେ ଯେ ଚଳନ୍ତି
ପରସ୍ପର ମଧ୍ୟେ ସ୍ନେହର
ସମ୍ପର୍କ ସେ ରଖନ୍ତି ।
ପରସ୍ପର ଦୁଃଖ ସୁଖରେ
ଆଖି ଲୁହ ଗଡାନ୍ତି
ଏକାଠି ରହିଣ ବିପଦ
ସାମ୍ନା ସିଏ କରନ୍ତି ।
ବେଖାତିର ଭାବ କାହାକୁ
କେହି କରନ୍ତି ନାହିଁ
ନ ଧରି କାହାର ଦୋଷକୁ
ନ୍ୟନ୍ତି କୋଳେଇ ସେହି ।
ସ୍ୱାମୀ ସ୍ତ୍ରୀ ମଧ୍ୟେ ସମ୍ପର୍କ
ଥାଏ ଅତୁଟ ହେଇ
ପରିବାର ସିଏ ଚଳାଏ
ଦାଉ ଦକାକୁ ସହି ।
ଯେଉଁ ଘରେ ସ୍ନେହ ମମତା
ସଦା ବିରାଜୁ ଥାଏ
ସୁଖୀ ପରିବାର ସମାଜ
ତାକୁ କହୁଣ ଥାଏ ।
ସେହି ଘରେ ମାତା ଲକ୍ଷ୍ମୀ ଯେ
ସଦା ବାସ କରନ୍ତି
ଅନ୍ନ ବସ୍ତ୍ର ତାଙ୍କୁ ଯୋଗାଇ
ଦୁଃଖକୁ ସେ ହରନ୍ତି ।
ଏବେ ଛୋଟ ପରିବାରକୁ
ସର୍ବେ ସୁଖୀ କୁହନ୍ତି
ସେ ପରିବାରେ ସମସ୍ତେ
ଶାନ୍ତିରେ ଯେ ରୁହନ୍ତି ।
ଯେଉଁ ପରିବାର ସର୍ଦଦା
ହସ ଖୁସିରେ ଥାଏ
ସେଇ ପରିବାର ସରଗ -
ପୁର ଉପାଧି ପାଏ ।
ସ୍ନେହ ପ୍ରେମ ପ୍ରୀତି ମମତା
ଥାଏ ଯେ ନିରନ୍ତର
ଲାଗୁଥାଏ ସତେ ଯେମିତି
ସିଏ ବୈକୁଣ୍ଠ ପୁର ।
ସ୍ନେହର ହାତ ସେ ବଢାଏ
ଖୋଲା ଥାଏ ଅନ୍ତର
ପ୍ରଭୁ ଆଶୀର୍ବାଦ ମିଳଇ
ସୁଖୀ ସେ ପରିବାର ।