ସୁଧୀର ଶରତ ତୋଷିଛି ଚିତ୍ତ
ସୁଧୀର ଶରତ ତୋଷିଛି ଚିତ୍ତ
ନିର୍ମଳ ଆକାଶର ଭସା ବାଦଲରେ
ନାଚି ନାଚି ଆସେ ଶରତ ଋତୁ,
ମାଆ ଦଶଭୂଜାଙ୍କୁ କରେ ଆବାହନ
ବସୁଧା କୋଳେ ସୁଖେ ଜୀବନ ବିତୁ।
ଧୋବ ଫରଫର କାଶତଣ୍ଡୀ ଫୁଲ
ମଥାରେ ତାର ହୋଇଛି ଓଢ଼ଣୀ,
ଲାଗେ ସତେ ନୂଆ କୁଳବୋହୂ ପରି
ଆହାଃ କି ସୁନ୍ଦର ମନଭୁଲା ଚାହାଁଣି।
ସୁଲୁସୁଲିଆ ପବନେ କାଶତଣ୍ଡୀ ଫୁଲ
ଖେଳି ଖେଳି ଦୋଳି ଯାଏ ଦୋହଲି,
ମାଆକୁ ଡାକୁଛି ଆସ ମା' ଓହ୍ଲାଇ
ତୁମ ଆଶିଷେ ସବୁ ଦୁଃଖ ଯିବି ଭୁଲି।
ବାଟ ଧାରେ ଅଙ୍କାବଙ୍କା ନଈ ପଠାରେ
ଦେଖି ହୁଏ ଆନନ୍ଦେ ଆତ୍ମବିଭୋର,
ନଭରୁ ନିଏ ଭସା ବାଦଲ ମେଲାଣି
ସାରା ପରିବେଶ ଦିଶେ ଶୋଭାକାର।
ସବୁଜ କ୍ଷେତେ ସରୁ ସରୁ ଧାନ କେଣ୍ଡା
କେନାଲ ପାଣିରେ ଡିଏଁ ଦଣ୍ଡିକିରି ମାଛ,
ମାଳତୀ ଟଗର ନାନା ଜାତି ଫୁଲ ଫୁଟେ
ଶରତର ଶୋଭା ଲାଗେ କି ସୁନ୍ଦର ସ୍ବଚ୍ଛ୍ଵ !
ସୌନ୍ଦର୍ଯ୍ୟେ ସୁନୀଳ ଶରତ ତୋଷୁଛି ଚିତ୍ତ
ଲାଗେ ଆଶା ଭାଷା ନେଇ ଆସିଛି ମିତ,
ହୃଦୟ କନ୍ଦରୁ ଭକ୍ତିର ଭାବ ହୁଅଇ ଜାତ
ଦେବୀ ମା' ଦୁର୍ଗାଙ୍କୁ କୋଟି କୋଟି ଦଣ୍ଡବତ।