ସତ୍ୟ ତୁମସହ ଦେଖା ହେଲା ପରେ
ସତ୍ୟ ତୁମସହ ଦେଖା ହେଲା ପରେ
ସହ ଦେଖା ହେଲା ପରେ"
ସତ୍ୟ ତୁମ ସହ ଦେଖା ହେଲା ପରେ
ବରୁଣେଇରୁ ଝରୁଥିବା ଝରଣାଟା
କେମିତି ଲାଜେଇ ଗଲା,
ନନ୍ଦନକାନନର ଥୁଣ୍ଟା ଗଛ ଉପରେ
ବସିଥିବା ଚଢ଼େଇ ଗୁଡିକ
ଉଡ଼ିବାକୁ ମନା କରିଦେଲେଣି ।
କୋଣାର୍କର ବେଳାଭୂମିରୁ
ଶାମୁକା ଗୁଡ଼ିକୁ ଖୋଜୁ ଖୋଜୁ
ମୁକ୍ତାଟିଏ ପାଇଗଲି ତ
ଜାଣି ଗଲି ତୁମେ ଏଇଠି କେଉଁଠି
ଠିଆ ହୋଇଛ,
ଅନୁଭବ କରିଛି ତ ତୁମକୁ
ଅନେକ ଥର, କିନ୍ତୁ ତୁମେ
ଏଇନେ ଥାଅ
ଏଇନେ ନ ଥାଅ
ମୁଁ ତ , ତୁମେ ଥିବା ପବନର
ସେହି ଅଂଶ କୁ ଭିଡିନେଲି
ମୋ ଭିତର କୁ, ତୁମ ବାସ୍ନାର
ମାଦକତା ଲାଖିଗଲା ମୋ ଦେହ ରେ
ଠିକ୍ ଗୋଟେ ଚୁଇଙ୍ଗମ୍ ପରି
ବାଲୁକା ଉପରେ ଚାଲି ପରି
ଟଳମଳ ପାଦ ଚିହ୍ନ ମୋର
ଚାଲୁଛି ତଥାପି ମୁଁ
ତୁମ ଆଙ୍ଗୁଠି ନ ଛାଡ଼ି
ହେଲେ, ଖୁବ୍ ବଦମାସ୍ ତୁମେ
ବେଳେ ବେଳେ ମୋ ହାତ ରୁ ନିଜକୁ
ଛଡ଼ାଇ ନେଉଛ, ଠିକ୍ ସେତିକି ବେଳେ
ମୁଁ ଖସି ଯାଉଛି ତଳକୁ ଆଉ ତଳକୁ
କେଉଁ ଏକ ଅଜଣା କୂଅ ଭିତରକୁ
ଯେଉଁଠି କେତେ ଗୁଡିଏ ପୋକ
ଟାଣି ଚାଲନ୍ତି ଅନବରତ।
ଆସିବାକୁ ଦିଅନା ମୋତେ
ସତରେ ବନ୍ଧୁ ନା ତୁମେ ମୋର?
ମୁଠାଏ ଧର ମୋର ବନ୍ଧୁତ୍ୱ କୁ
ବନ୍ଧୁ ଅବନ୍ଧୁ , ପରିଚିତ ଅପରିଚିତ ର
ଅଡ଼ୁଆ ତଡୁଆ ଜାଲ ଭିତରେ
ପାଦ ବଢ଼ାଇ ଦେଇଛି ରାସ୍ତା କୁ।
କଥା ଦେଉଛି ,ଅଳିଆ ସବୁକୁ
ନିଜଠୁଁ ଦୁରେଇ, ସବୁବେଳେ
ଚେଷ୍ଟା କରିବି ଚାଲିବାକୁ
କେବଳ ତୁମ ସାଥିରେ
କେବଳ ତୁମ ସାଥିରେ।
ପାରମିତା ଷଡ଼ଙ୍ଗୀ।
