ସ୍ତ୍ରୀ
ସ୍ତ୍ରୀ
ସେ ସ୍ତ୍ରୀ,
ପୁଣି ଅର୍ଦ୍ଧାଙ୍ଗିନୀ
ପୁରୁଷର ଅର୍ଦ୍ଧାଙ୍ଗ
ସୁଖ ଦୁଃଖର ଏକାନ୍ତ ସାଥୀ ,
ସାଇତି ରଖେ ଏକ ଏକା
ହାତ ପାପୁଲିରେ
ଅସରା ଅସରା ଲୁହର ସମୁଦ୍ର
ଯୁଗ ଯୁଗ ପାଇଁ ,
ହୃଦୟର ସଫେଦ ଦର୍ପଣରେ
ଦେଖିଥାଏ ପ୍ରତିବିମ୍ବ
ଜୀବନ ଓ ଯନ୍ତ୍ରଣାର ,
ପୁଣି କେତେବେଳେ
ଯୋଡିଦିଏ ଟୁକୁରା ଟୁକୁରା କାଚଖଣ୍ଡ
ଭଙ୍ଗା ଆଇନାର ।
ସେ ସୀମନ୍ତିନୀ ,
ମଥାରେ ସଜାଇ ଦିଏ
ସିନ୍ଦୁରର ଗାର
ହସ ଓ ଲୁହର ,
ପାଦକୁ ମାନେ ତା'ର
ଅଳତାର ସୁର ସରୁ ଗାର
ଟୋପା ଟୋପା ଲୁହର,
ରିମଝିମ୍ ଶୁଭେ ନୂପୁରର ସ୍ବର
ସୁଖ ଓ ସୌଭାଗ୍ଯର ।
ସେ ତ୍ୟାଗମୟୀ,
ପବନକୁ ମାଗେ ମୁଠାଏ ସୌହାର୍ଦ୍ଦ
ପାହାଡକୁ ମାଗେ
ସହନଶୀଳତାର ସଶକ୍ତ ଆସ୍ତରଣ
ସାଗରକୁ ମାଗେ ବିଶାଳ ହୃଦୟ,
ବଂଚି ଶିଖେ ଅନ୍ୟ ପାଇଁ
ପିଇ ଯାଏ ସଂସାରର
ଯେତକ ଜହର ।
ବାଣ୍ଟୁଥାଏ ସ୍ନେହ, ଶ୍ରଦ୍ଧା
ଖୁସିର ନିର୍ମାଲ୍ୟ
ସକାଳରୁ ସଂଜ
ତ୍ୟାଗ ଓ ତିତିକ୍ଷାର
ମଧୁକ୍ଷରୀ ମଧୁର ସୃଷ୍ଟିର ।
ସେ ପ୍ରୀତିମୟୀ,
କଥା କଥାରେ ଫୁଟୁଥାଏ
ପ୍ରୀତିର ସ୍ତବକ
ମହମହ ସୁରଭିରେ
ସୁରଭିତ ହୁଏ ଚଉଦିଗ
ପୁଣି ମାଟିରୁ ଆକାଶ
ସଚରାଚର ବିଶ୍ବ ବ୍ରହ୍ମାଣ୍ଡ
ଆଲୋକିତ ହୁଏ ବହଳ ଅନ୍ଧାର ।
ସେ ପ୍ରଣୟିନୀ,
ପ୍ରଣୟର ସୁଦୀର୍ଘ ଡୋରରେ
ବାନ୍ଧି ରଖେ ସେ
ବର୍ଷ-ମାସ-ଦିନ-ଦଣ୍ଡ ,
ପୁଣି ବର୍ଷାର ପ୍ରାଣସ୍ପର୍ଶୀ ଗଜଲ
ବସନ୍ତର ରଙ୍ଗିନ୍ ସମ୍ମୋହନ
ଅବା ନିଦାଘର ଅସରନ୍ତି ଦହନ,
ବନ୍ଧାପଡିଯାଏ ତା' ପ୍ରଣୟ ଫାଶରେ
ପ୍ରାଣର ନିଷିଦ୍ଧ କମ୍ପନ ।
ପୁଷ୍ପିତ ହୁଏ ଜୀବନର ମାର୍ଗ
ସ୍ନିଗ୍ଧ ହୁଏ କଣ୍ଟକିତ ଆସ୍ତରଣ
ପ୍ରୀତିର ମହଲଟିଏ
ତୋଳି ହୋଇଯାଏ ଛାଏଁ ଛାଏଁ
ସବୁଜ ଘାସର ମୁଲାୟମ
ଗାଲିଚା ଉପରେ,
ଆଉ ପ୍ରଜାପତି ଝାଡି ଦିଏ
ତା' ଦେହର ଲାଗିଥିବା
ଯେତେ ଝଲମଲ ରଙ୍ଗ ।
