++ ସ୍ତ୍ରୀ କେବେ ....++
++ ସ୍ତ୍ରୀ କେବେ ....++
++ କେବେ ....++
ପ୍ରେମିକା କେବେ ସ୍ତ୍ରୀ ହୋଇଗଲେ
ତା ପ୍ରେମିକା ପଣ ରୁହେନି ,
ପ୍ରେମ ସେଇଦିନ ସମାଧି ନେଇ ଯାଏ
ଯେଉଁଦିନ ଅପ୍ରାପ୍ତିର ଆଶଙ୍କାରୁ ମୁକୁଳି ଆସି
ପ୍ରେମିକ ଦେଖେ ପ୍ରାପ୍ତିର ବିଶ୍ବାସ ,
ତା ଭସାମେଘରେ ବର୍ଷିଯିବାର ଗର୍ଭବେଦନା
ନବକିଶଳୟ ଅଙ୍କୁରିତ ହେବାର ଉନ୍ମୁଖତା !
ଗୋଟେ ଭିନ୍ନ ଜୀବନର ଚିତ୍ରପଟ୍ଟ
ଆକାଶ ଛାତିରେ ଟଙ୍ଗା ହେବ ,
ଗୋଟେ ମୃଣ୍ମୟୀ ଦେବୀ ପ୍ରତିମା ଟିଏ
ଜୀବନ୍ୟାସ ପାଇବ
ସେ ପାଲଟି ଯିବ ପ୍ରେମିକାରୁ ସ୍ତ୍ରୀ...!
ବାଃ ବାଃରେ ଜୀବନ.....
କେତେ ଅଭିନୟ ତୋର
କେତେ ପ୍ରୀତି ବନ୍ଧନର ଶକ୍ତରେଶମୀ ଡୋର ଟେ
ଆ ,ସ୍ତ୍ରୀର ଅଭିନୟ କରିବୁ ଆ...
ଝିଅ ଟିଏ ତୁ
କେବେ କିଶୋରୀ କେବେ ତରୁଣୀ ଆଉ କେବେ ପ୍ରେମିକା
ଏବେ ତ ଦ୍ବିତୀୟ ଜନ୍ମ ତୋର 'ସ୍ତ୍ରୀ' ହେବାରେ
ଏଇଠୁ ଆରମ୍ଭ ତୋର ଅଗ୍ନି ପରୀକ୍ଷା
ଗୋଟିଏ କୁଳ ରୁ ଆସି ଆଉ ଗୋଟେ କୁଳ ଛୁଇଁ ବୁ
ଗୋଟିଏ ଘର ଛାଡି ଆଉ ଗୋଟେ ଘର ଆପଣେଇବୁ ।ଏଇଠି ଲୋଡିବୁ ତୁ ବାପ ମାଆ ଭାଇ ଭଉଣୀ ସବୁକିଛି
ଖାଲି ଗୋଟିଏ ବିଚିତ୍ର ମଣିଷ ସ୍ବାମୀ କୁ ଛାଡି ।
ଏଇଠୁ ଆରମ୍ଭ ହେବ ତୋର ସାପ ଶୀଡି ଖେଳ
ହାତେ ଲମ୍ବର ଓଢଣା ତଳୁ
ଉଇଁ ଆସିବ ସକାଳର ବାଳ ରବି
କେତେ ସ୍ବପ୍ନ ପ୍ରବଣ ମନ ନେଇ
ତୁ ଛୁଇଁବୁ ସ୍ବାମୀ ଘରର ଏରୁଣ୍ଡି ବନ୍ଧ
ତା ଦେଇପିଣ୍ଡି ଘର ।
ଏବେ ପଛରେ ଛାଡି ଆସିବାକୁ ହେବ
ତୋ ଏନ୍ତୁଡିଶାଳ ର ଷଠିଘର
ତୋ ନେତ ଗାଈର ହମ୍ବାରଡି
କଇଁ ଗାଡିଆର କାଚକେନ୍ଦୁ ଜଳ
କୁଆଁର ପୂନେଇ ପୁଚିଖେଳ
ଆଉ ମନତଳେ ଆଙ୍କିଥିବା କାହା ଛବି !
ସ୍ତ୍ରୀ ହେବା କେତେ କଷ୍ଟ
କେତେ ଯନ୍ତ୍ରଣା ଦାୟକ ସତେ !
କେମିତି ବଧୂ ବେଶରେ ସଜେଇ ହୋଇଗଲେ
ସବୁ ସ୍ବାଧୀନତା ଅପହୃତ ହୁଏ
ନିଜ ଇଛା ଅନିଛା ସତ୍ତ୍ବେ
କିଏ ପଳ ପଳ ଦେହର ମାଂସ ଭିଣିଖାଇ ଯାଏ
ଥାନ ଅଥାନରେ ସିଗାରେଟ ର ଚେଙ୍କଦେଇ
କିଏ ବିଭତ୍ସ ଅଟ୍ଟହାସ୍ୟ କରେ
ରାତିର ନୀରବତାକୁ ଭାଙ୍ଗି
କାହାର ଗୁମୁରା କାନ୍ଦ ପବନରେ ମିଳାଇ ଯାଏ ।
ସକାଳକୁ ସବୁ ଯନ୍ତ୍ରଣାକୁ ପିଇ ଦେଇ
କିଏ ଅଗ୍ନିସ୍ନାନ କରୁଥାଏ ,
ବାସୀ ପାଇଟି ସାରି ସମସ୍ତଙ୍କ ବରାଦ ମୁତାବକ
ନିଜକୁ କାମରେ ସମର୍ପିତ କରୁଥାଏ
ନିଜ କୁ ଅନ୍ଧାରରେ ରଖି
ଅନ୍ୟକୁ ଆଲୋକିତ କରୁଥାଏ ,
ସଞ୍ଜସଳିତା ପରି ନିଜେ ଜଳୁଥାଏ ।
ତା'ରି ଭିତରେ ସେ ବାର ଓଷା ତେରବ୍ରତ କରେ
ହୁଳହୁଳି ଦେଇ ବୋଇତ ବନ୍ଦାଏ
ମାର୍ଗଶୀର ମାଣବସା ଗୁରୁବାର ଝୋଟି ଆଙ୍କେ
ସବୁରି କଲ୍ୟାଣ ମନାସେ
ସ୍ତ୍ରୀର ଜୀବନ ଭିତରେ ତା ମନର ସୌକୁମାର୍ଯ୍ୟ
କ୍ରମଶଃ ମରୁଥାଏ ।।