ସତରେ ମୁଁ କେଡ଼େ ବୋକିଥିଲି
ସତରେ ମୁଁ କେଡ଼େ ବୋକିଥିଲି
ଆତ୍ମିୟତା ସେହି ଆପଣା ପଣରେ
କେତେ ସ୍ଵପ୍ନ ସବୁ ବୁଣିଥିଲି ,
ଧାରେ ଆଲୋକର ସ୍ୱଚ୍ଛ ଆଲୁଅରେ
ବିଶ୍ଵାସର ହସ ଦେଖିଥିଲି ।
ମିଛ ସୁଖ ସେହି ଖୋଳପା ଭିତରେ
ବଞ୍ଚି ଥାଉ ଥାଉ ହାରିଗଲି,
ନିଖୁଣତା ପୂର୍ଣ୍ଣ ମିଛ ଅଭିନୟେ
ପୁରାପୁରି ମୁଗ୍ଧ ହୋଇଗଲି ।
ପ୍ରତାରଣା ପୂର୍ଣ୍ଣ ଅମୃତ ବାଣୀକୁ
ବିଶ୍ଵାସେ ହୃଦୟେ ଶଂଖୋଳିଲି ,
ତୁମ କବିତାର ସବା ଶେଷ ଧାଡ଼ି
ପଙ୍କ୍ତି ଟିଏ ହୋଇ ରହିଗଲି ।
ତୁମରି ସ୍ୱପ୍ନର ଗହନ ବନରେ
ସତେ କଣ ଭୁଲ୍ ଚିଠି ଥିଲି ?
ବାଟ ଚାଲିବାର ଠିକଣା ଖୋଜି ମୁଁ
ଭୁଲ୍ ଠିକଣାରେ ପଡ଼ିଗଲି ।
ସତରେ ମୁଁ କେଡେ ବୋକିଥିଲି ! !