ସ୍ଥିତପ୍ରଜ୍ଞ ହେ ଭୂଧର
ସ୍ଥିତପ୍ରଜ୍ଞ ହେ ଭୂଧର
ଅଚଳ,ଅଟଳ ହେ ଭୂଧର,
କେଉଁ କାଳୁ ମଥା କରି ଉଚ୍ଚ,
ଛିଡା ହୋଇ ରହିଛୁ ତୁ ସ୍ଥିତପ୍ରଜ୍ଞ ସମ।
ଋତୁ ପରେ ଋତୁ ର ଆଗମନ,
କେବେ ବର୍ଷା,କେବେ ପୁଣି ଶୀତ,
କେବେ ହୁଏ ରବି କରେ ତୋ କାୟା ତପ୍ତ,
ମେଘର କୋହଲା ସ୍ପର୍ଶରେ ,ବର୍ଷାର ମଧୁର ସୁର,
କିଛି ବି ତୋ ଅନ୍ତରେ କି ଆଣେ ନାହିଁ ପରିବର୍ତ୍ତନ ?
ସ୍ଥିର ଚିତ୍ତେ ଥାଉ ରହି ସଂସାର ତ୍ୟାଗୀ ତପସ୍ୱୀ ସମ,
ପାଷାଣ ଦେହେ ସତେ କି କେବେ ତୋ, ହୁଏନାହିଁ ଶିହରଣ ?
ତୋ ସାଥେ ଥାଇ ସବୁଜ ବନାନୀ,ମୁକ୍ତ ବିହଂଗର କୂଜନ,
ମଳୟର ମଧୁ ଛୁଆଁ, ପଲାଶର ରକ୍ତିମ ଆଭାରେ ସଜ୍ଜିତ ,
ତୋ ପାଷାଣ ଶରୀର କେବେ କି ହୁଏନି ଅସ୍ଥିର,ବ୍ୟାକୁଳ?
ଧ୍ୟାନମଗ୍ନ ଯୋଗୀ ପରି ଥାଉ ସଦା ତୁ ଅବିଚଳିତ,ଶାନ୍ତ,ସ୍ଥିର ।
ନିଶ୍ଚଳ,ନିର୍ଭୟ,ଅଭିମାନେ ଉର୍ଦ୍ଧ୍ବେ ଦୃଷ୍ଟି କରି ନିବଦ୍ଧ ତୁ ଦୃଢ଼,ଅଚଳ,
ସାଗର ପାରେନି ତୋ ବିଶାଳ ହୃଦୟ କୁ କରି ଅସ୍ଥିର, ବିଚଳିତ,
ପାଷାଣରେ ଗଢା ତୋ ଅବୟବ ,ହୃଦୟ ଥାଏ ତୋ ସଦା କଠିନ,ଶକ୍ତ ।
ତଥାପି ପକ୍ଷୀ କୂଜନ,ସବୁଜ ବନାନୀ ର ସବୁଜିମା,ପଲାଶର ରଙ୍ଗ,
ତୋ କଠିନ କାୟା ଦେହେ ସୃଷ୍ଟି କରିଥାଏ ଏକ ଅପୂର୍ବ ମାଧୁର୍ଯ୍ୟ,
ସେତେବେଳେ ତୋ ଦେହେ ମୁଁ ଦେଖେ ଏକ ଅଦ୍ଭୁତ ଆକର୍ଷଣ,
ଆଉ ଦେଖି ତୋର ସେଇ ଅପୂର୍ବ ରୂପ ସମ୍ଭାର ହୁଏ ମୁଁ ସ୍ତବ୍ଧ, ସ୍ତମ୍ଭିଭୂତ।
