ସତେ କି ଫେରିବ ଆଉ ସେ ଦୃଶ୍ୟ
ସତେ କି ଫେରିବ ଆଉ ସେ ଦୃଶ୍ୟ
କିଆ ବୁଦା ମୂଳେ ବିଲୁଆ ହୁକେ.... ହୁ ଆଉ କରୁନି।
ସଞ୍ଜ ନଇଁ ଗଲେ ଗାଈ ଗୋଠ, ଧୂଳି ଉଡାଇ ଫେରୁନି।
ପାଚିଲା ଧାନ ର ବିଡ଼ା ସବୁ ଆଉ ବାହୁଙ୍ଗି ରେ ବୁହା ହେଉନି।
ମେରି ଖୁଣ୍ଟ ରେ କାଳିଆ,କସରା ଓ ରଙ୍ଗିଲାର ବୃତ୍ତ ଦିସୁନି।
ଗୋଇଠିକୁ ମାଜି ଦେଉଥିବା ସେ ପଥର ପଠାରେ ଆଉ ମିଳୁନି।
ମାଠିଆ ମୁଣ୍ଡରେ ମୁଣ୍ଡେଇ କୁଳ ଭୁଆଶୁଣି ନଦୀରୁ ପାଣି ଆଣୁନି।
ମୁଣ୍ଡପୋତା କେଳା ଦିସୁନି ,ଯୋଗୀ ର କେନ୍ଦେରା ବି ଶୁଭୁନି।
ସଚେତନତା ର ମୁଖ୍ୟ ବାର୍ତ୍ତାବହ ଚକୁଳିଆ ପଣ୍ଡା ଡାକ ଶୁଭୁନି।
ପୁନେଇ ପରବେ ଆଉ ପାଲା,ଦାସକାଠିଆ ର ଆସର ଜମୁନି।
ଗାଁ ମୋଉଛୁକ ରେ ସେ ଅରୁଆ ଡାଲମା ଦେଶୀ ଛୁଙ୍କ ବାସୁନି।
କମାର ଶାଳା ରେ ଲୁହା ତାତୁନି,ଧୋବା ତୁଠେ ଲୁଗା ଶୁଖୁନି।
ଝିଅ ବିଦା ବେଳେ କାନ୍ଦ ଦିଶେ ନାହିଁ ହାକୁମ ଧାବଲ ଶୁଭୁନି।
ବରଷା ଆସିଲେ କୁନିପିଲାଙ୍କ କାଗଜର ଡଙ୍ଗା ଆଉ ଭାସୁନି।
ଅଗିରା ପୁନେଇ ରେ ଆଳୁ ବାଇଗଣ ନିଆଁ ରେ ପୋଡା ହେଉନି।
ଢ଼ିଙ୍କିର ପାହାର ଶୁଭୁନି ,ଫେସାରେ ଜାଇ ରଗଡ଼ା ବି ହେଉନି।
ଘର ର ମଝି ଖୁଣ୍ଟ ରେ ଘରଣୀ, ଦହି ହାଣ୍ଡି ଆଉ ମଂଥୁନି।
ନଡ଼ାର ପିଢ଼ା ରେ ଲାଉ ଓ କଖାରୁ ଡଙ୍କ ବି ମୋଟୁରୁ ମାଡୁନି।
ବଡି ଭୋରୁ ଗୋବର ପାଣିରେ ଦାଣ୍ଡ ଦୁଆର ବି ସଫା ହେଉନି।
ଜେଜେ ବାପାର ଅଙ୍ଗୁଳି ସ୍ପର୍ଶ ପାଇବାକୁ ନାତି ନାତୁଣୀ ଝୁରୁନି।
ବୁଢ଼ୀ ମାର କାହାଣୀର ପେଡି ଖଞ୍ଜା ଘରେ ଆଉ ଖୋଲୁନି।
ବଦଳି ଗଲାଣି ମୋ ଗାଁର ଦୃଶ୍ୟ ଆଧୁନିକ ଏଠି ସବୁ ହେଲାଣି।
କେତେ ହରାଇଛେ ,କଣ ପାଇଛେ ପାରୁଛକି ଆଜି ତୁମେ ଜାଣି।
✍️ବଳରାମ ବାରିକ।
