ସତେ କି ଖାଉ ତୁ ବଳି ?
ସତେ କି ଖାଉ ତୁ ବଳି ?
ଦୁର୍ଗତିନାଶିନୀ କଲ୍ୟାଣ କାରିଣୀ ,
ହେ ଦୁର୍ଗା ମହାମାୟୀ ।
ଏ ଜୀବଜଗତ ଡାକିଲେ ଆତୁରେ,
ଦୁଃଖ ହରିଥାଉ ତୁହି ।।
ତୋର ପୂଜା ପାଇଁ କେତେ ସାଜସଜା,
କେତେ ପୁଣି ଆୟୋଜନ ।
କେତେକେତେ ପୁଣି ନିରୀହ ଜୀବଙ୍କ,
ବଳି ପଡିଯାଏ ପ୍ରାଣ ।।
ଏ ଅନ୍ଧ ସମାଜ କରଇ ବିଶ୍ୱାସ,
ଦେଇ ତୋତେ ପଶୁ ବଳି ।
ବଳିଦେବା ଭକ୍ତ ସତେ କି କହ ମା,
ସୁଖେ ସୁଖେ ଯାଏ ଚଳି ?
କାହିଁକି ଏ ପ୍ରଥା କହ ଆହେ ମାତା,
ନିରୀହ ଜୀବନ ନିଏ ?
ସତେ କି ମୋ ମା ଖୁସି ହେବା ପାଇଁ,
ଅନ୍ୟର ରକତ ପିଏ ?
ମା' ତା ପିଲାଙ୍କୁ ସ୍ନେହ ମମତାର,
ଅଜାଡି ଦିଏ ଆଶିଷ ।
କିପରି ସେହି ମା’ ନିଜ ପିଲାଙ୍କର,
କରିପାରେ ସର୍ବନାଶ ?
ବିଶ୍ୱ ବ୍ରହ୍ମାଣ୍ଡର ସିଏ ପରା ମା’,
ସବୁ ଜୀବ ତା ସନ୍ତାନ ।
ନିଜ ଭୋକ ପାଇଁ ମା’ କି ଘେନିବ,
ସନ୍ତାନକୁ ବଳିଦାନ ?
ଏ ନିଷ୍ଠୁର ପ୍ରଥା ବନ୍ଦ୍ କରିବାକୁ,
ତୋ ପାଶେ କରୁଛି ଅଳି ।
ଭକତଗଣକୁ ବୁଝାଇ ଦେ’ ମା' ,
ସତେ କି ଖାଉ ତୁ ବଳି ?
ବୀରେନ୍ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା
ଯୋଗାଯୋଗ-7381199206