ସୃଷ୍ଟିର ସୁରକ୍ଷା
ସୃଷ୍ଟିର ସୁରକ୍ଷା
ଅନନ୍ତ ସୃଷ୍ଟିର ବିବର୍ତ୍ତନ ଚକ୍ରେ
ପ୍ରକୃତି ବଦଳିଥାଏ ।
ଦିନ-ମାସ-ବର୍ଷ-ଋତୁମାନଙ୍କର
ପରିବର୍ତ୍ତନ ବି ହୁଏ ।
ଦିବସ-ରଜନୀ ଦୁଇପକ୍ଷ ସହ
ଧରାବତରଣ କରି।
ଯେ ଯାହାର କାର୍ଯ୍ୟ ସାରି ଏ ଧରାରୁ
ସରବେ ଯାଆନ୍ତି ଫେରି ।
ବାରମାସ ସହ ଛଅଋତୁ ମିଶି
କରନ୍ତି ମର୍ତ୍ତ୍ଯେ ବିହାର ।
ଯାହା ପରେ ଯିଏ ସ୍ବକର୍ତ୍ତବ୍ଯ କରି
ବାହୁଡ଼ନ୍ତି ନିଜ ଘର ।
ଦୁଇମାସ ସହ ଗୋଟିଏ ଋତୁର
ଥାଏ ନିବୀଡ ସମ୍ପର୍କ ।
ଋତୁଚକ୍ର ସହ ବର୍ଷ ଓ ମାସର
ସମ୍ବନ୍ଧ ରହିଛି ଦୃଢ ।
ଗ୍ରୀଷ୍ମ ପରେ ବର୍ଷା ତାପରେ ଶରତ
ପୁଣି ଆସଇ ହେମନ୍ତ ।
ଶୀତ ପରେ ପୁଣି ବସନ୍ତାଗମନ
ହୋଇଥାଏ ଉପନୀତ ।
ଗ୍ରୀଷ୍ମରେ ପ୍ରଚଣ୍ଡ ଉତ୍ତାପ ହୁଅଇ
ବୈଶାଖ ଓ ଜ୍ଯେଷ୍ଠ ମାସେ ।
ଆଷାଢ଼-ଶ୍ରାବଣ ଏ ଦୁଇ ମାସରେ
ବର୍ଷାରେ ଏ ଧରା ହସେ ।
ଶରତ ଋତୁର ହୁଏ ଆଗମନ
ଭାଦ୍ରବ ଓ ଆଶ୍ଵିନରେ ।
ସୁନିର୍ମଳ ଶୋଭା ଆକାଶ ବକ୍ଷରେ
ଧରା ହସେ ଆଲୋକରେ ।
ହେମନ୍ତ ଋତୁରେ ହୁଏ ହିମପାତ
କାର୍ତ୍ତିକ ଓ ମାର୍ଗଶିରେ ।
ନୀହାରମୁକ୍ତା ଯେ ବିନ୍ଦୁ ବିନ୍ଦୁ ହୋଇ
ଲାଗେ ପାଦପ-ଲତାରେ ।
ପୌଷ ଓ ମାଘରେ ଆସେ ଶୀତ ଋତୁ
ଜାଡରେ ସର୍ବେ ଥରନ୍ତି ।
ଶୀତବାସ ସହ ନିଆଁ ଉହ୍ମେଇର
ଆବଶ୍ୟକ ମନେ କରନ୍ତି ।
ଫାଲ୍ଗୁନ ଓ ଚୈତ୍ର ଦୁଇ ମାସ ସହ
ଆସଇ ଋତୁ ବସନ୍ତ ।
ନବ ପଲ୍ଲବିତ ହୁଅନ୍ତି ପାଦପ
ମଲୟ ଦିଏ ଆହ୍ଲାଦ ।
ଯଥା ସମୟରେ ସୂର୍ଯ୍ୟଙ୍କ ଉଦୟ
ହୋଇଥାଏ ପୃଥିବୀରେ ।
ଶୁକ୍ଳପକ୍ଷରେ ବିଧୂଦୟ ଦୃଶ୍ୟ
ଦେଖାଯାଏ ଆକାଶରେ ।
ତାମସଯାମିନୀ ହୁଏ କୃଷ୍ଣପକ୍ଷେ
ଚତୁର୍ଦିଗ ଅନ୍ଧକାର ।
ପରସ୍ପର କେହି ଦେଖି ନପାରନ୍ତି
ଆଲୋକର ବ୍ଯବହାର ।
ଶୀତଳମାରୁତ ବହେ ମନ୍ଦ ମନ୍ଦ
ନଦୀ ଓ ସାଗରତୀରେ ।
ବୃକ୍ଷର ଶାଖାରେ ପକ୍ଷିଙ୍କ କୂଜନ
ଶାନ୍ତିଦିଏ ହୃଦୟରେ ।
ଉତ୍ତାଳ ତରଙ୍ଗେ ଗର୍ଜଇ ଉଦଧି
ତରଙ୍ଗାୟିତ ନିରନ୍ତର ।
ଶୈଳୁ ପ୍ରସ୍ରବଣ ଝର୍ଝର ନାଦରେ
ବହଇ ସେ ଦୂରାନ୍ତର ।
ହରିତ ବନାନି ଲତା-ପାଦପରେ
ଫଳଫୁଲେ ବିମଣ୍ଡିତ ।
ପଶୁ-ପକ୍ଷୀଙ୍କର ବିହାରର ଶୋଭା
କରିଥାଏ ଆକର୍ଷିତ ।
ପ୍ରହରୀ ସଦୃଶ ପର୍ବତ ସମୂହ
ଅଛନ୍ତି ଦଣ୍ଡାୟମାନ ।
ନିଜ ବକ୍ଷେ ଧରି ପ୍ରଚୁର ସମ୍ପଦ
ବିପଦରୁ କରେ ତ୍ରାଣ ।
ପ୍ରକୃତିରୁ ବହୁ ଶିକ୍ଷା ମିଳିଥାଏ
ଏସବୁ ଜାଣିଛି ନର ।
ତଥାପି ନିଜକୁ ବିଜ୍ଞାନୀ ବୋଲାଇ
କରୁଥାଇ ଛାରଖାର ।
ବିକାଶ ନାମରେ ବିନାଶ କରିଣ
କରେ ପ୍ରକୃତିକୁ ଧ୍ବଂସ ।
ଅତ୍ୟାଧୁନିକତାକୁ ଦ୍ବାହି ଦେଇ ସେ
ପରିବେଶ କରେ ନାଶ ।
ବାୟୁ-ଜଳ-ଭୂମି ହେଲା ପ୍ରଦୂଷଣ
ଜଙ୍ଗଲ ହୋଇଲା ଶେଷ ।
ପାହାଡ ଗୁଡିକୁ ବିଷ୍ଫୋରକ ଦ୍ବାରା
କରଗଲା ସବୁ ଧ୍ବଂସ ।
ରାସ୍ତାଘାଟ-ପକ୍କା ଘରନିର୍ମାଣରେ
ପରିବେଶ ଧୂସରିତ ।
କଳକାରଖାନାର ବିଷାକ୍ତ ବାୟୁ
କରିଦେଲା ଅସ୍ତବ୍ୟସ୍ତ ।
ଦେଶ ଦେଶ ମଧ୍ଯେ ଆଣବିକ ଅସ୍ତ୍ର
ପରୀକ୍ଷା-ନିରୀକ୍ଷା ହେଲା ।
ତା'ର କୁପ୍ରଭାବୁ ବିଶ୍ବପରିବେଶ
ଅନିୟନ୍ତ୍ରିତ ହେଲା ।
ସମୁଦ୍ର ମଧ୍ୟରେ ଯୁଦ୍ଧ ଜାହାଜର
ହୋଇଲା ଚଳପ୍ରଚଳ ।
ସମୁଦ୍ର ଜୀବଙ୍କ ସଙ୍କଟ ସହିତ
ବିଷାକ୍ତ ହୋଇଲା ଜଳ ।
ଜନସଂଖ୍ୟାର ବିଷ୍ଫୋରଣ ସାଙ୍ଗକୁ
ଚାଷଜମି ହେଲା ନଷ୍ଟ ।
ଅମ୍ଳଯାନ କମି ଅଙ୍ଗାରକାମ୍ଳର
ବୃଦ୍ଧି ହେଲା ବିଶ୍ବତାପ ।
ବୃକ୍ଷ ଅଭାବରୁ ଅତ୍ଯଧିକ ତାପ
ସଭିଙ୍କୁ ଅସହ୍ଯ ହେଲା ।
ଜଳାଭାବ ସହ ପ୍ରଚଣ୍ଡ ତାପରେ
ବିଶ୍ବ ସନ୍ତାପିତ ହେଲା ।
ଯଥା ସମୟରେ ବର୍ଷା ଆଉ ଶୀତ
ପୃଥିବୀରୁ ଉଭେଇଲା ।
ଅଦିନରେ ଝଡ-ବାତ୍ଯା ଓ ଭୂକମ୍ପ
ପ୍ରାଣୀଙ୍କୁ ବ୍ୟଥିତ କଲା ।
ପ୍ରକୃତି ବିଧିକୁ କଲେ ଉଲ୍ଲଘଂନ
କରେ ସେ ମହାତାଣ୍ଡବ ।
ଅତିବୃଷ୍ଟି ପୁଣି ଅନାବୃଷ୍ଟି ସହ
ସୁନାମୀର ପ୍ରାଦୁର୍ଭାବ ।
ଭାରସାମ୍ଯତାକୁ ହରାଇ ପୃଥିବୀ
ଅନର୍ଥ ଯେ ଅତିଶୟ ।
ବିପର୍ଯ୍ୟୟ ସହ ଦୁର୍ବିପାକ ହୁଏ
ସୃଷ୍ଟି ଲାଗେ ମହାଭୟ ।
ପରିବେଶ ଯଦି ହୋଇବ ସୁରକ୍ଷା
ସୁରକ୍ଷିତ ହେବ ବିଶ୍ବ ।
ନିରାମୟ ସହ ଖୁସିରେ ଜୀବନ
ଶାନ୍ତିରେ ନେବେ ନିଶ୍ବାସ ।
