ସ୍ପର୍ଶ
ସ୍ପର୍ଶ
1 min
212
ମାଆର ମମତାର ଛୁଆଁ
ହରିନିଏ ସବୁକଷ୍ଟ
ରୋଗ ହେଉ ଅବା ଶୋକ
ନିମିଷକେ ହୁଏ ଦୂରିଭୂତ
ଜାଗିଉଠେ ତନ୍ତ୍ରେ ତନ୍ତ୍ରେ
ଅଫୁରନ୍ତ ଆନନ୍ଦର ରାହା ।
ଶ୍ରାବଣର ପହିଲି ସ୍ପର୍ଶରେ
ଧରାବକ୍ଷେ ହୁଏ ଅଙ୍କୁରିତ
ଶ୍ୟାମଘନ ପଲ୍ଲବ କଲ୍ଲୋଳ
ବିମୋହିତ କରେ ଜନ ମନ
ବିରସ ଭାବୁକ ମନେ
ଭାବନାକୁ ଜଗାଇ ସଧିରେ ।
ଶିଳ୍ପୀର ନିହାଣ ମୁନ
ଯେବେ ଛୁଏଁ
ଅଲୋଡ଼ା ପଥର ଦେହକୁ
ରୂପ ତା' ବଦଳିଯାଏ
ଇତିହାସ ସୃଷ୍ଟି ହୁଏ
ଅସୁମାରୀ ଗାଥା ତା'ର
ଗଳ୍ପ ହୋଇ ଗାଳ୍ପିକ ମନରେ
ଛନ୍ଦ ହୋଇ କବିର ମାନସେ
ଫୁଟିଉଠେ ହୋଇ ସେ ନିଖୁଣ ।
କୃଷକର ହାତର ସ୍ପର୍ଶରେ
ଟାଙ୍ଗରା ଭୂଇଁ ହସିଉଠେ
ସବୁଜିମା ରୂପ ଧରି
ଜାତି ଜାତି ଫସଲ ସମ୍ଭାରେ
ଖଗ କୀଟେ ରଚନ୍ତି ରାହାସ
ପ୍ରକୃତି ବି ଭୁଲିଯାଏ
ନିଜ ପୂର୍ବ ରୂପ
ଶାନ୍ତି ଖେଳେ ଜନ ମାନସରେ ।