ସପନପୁର ର କଥା
ସପନପୁର ର କଥା
ଓଠ ଖୋଜୁଥାଏ ହସିବାକୁ ଟିକେ ସମୟ
ମନ ଖୋଜୁଥାଏ ମନର ମାନସୀ ଜଣେ ,
ଭାବ ଖୋଜୁଥାଏ ଅହରହ ଏଇ ହୃଦୟ
ସୁଖ ସରାଗରେ ସବୁବେଳେ ପ୍ରୀତି ଟାଣେ ।
ହଜିଲା ଅତୀତ ଖୋଜିଲା ପରିକା ଏଇଠି
ସ୍ମୃତି ଉହାଡରେ କେତେ ଯେ ଭାବନା ମେଳି
ସତେ କି ଲାଗୁଛି ମିଶିଛି ଆକାଶ ମାଟି
ପୁଣି , ଅନାଗତ ଭବିଷ୍ଯର କଥା ଭାଳି
ବାସ୍ନା କି ବିଶ୍ବାସ ଖୋଜା ଏ ମନର ସୁଖେ
ସପନ ନଈର ତୀରେ ତୀରେ ତୁଠ ହସେ ,
ସେ ତୁଠେ ମାନସୀ ପ୍ରତି ସକାଳରେ ଦେଖେ
ହଲିଲା ପାଣିରେ ମୁହଁ , ବା ଚତୁରୀ କି ସେ !
ଆହୁରି ଏ ମନ ଖୋଜେ ସୁଖ ବଇଭବ
ପ୍ରୀତି ପାଇଁ ଲୋଡା ଅହରହ ଯେଉଁ ପଦ ,
ତେଣୁ ଆଶା ଅଛି ଅହରହ ସେଇ ଭାବ
ଏକାକାର ସବୁ ତଥାପି ଏ ହସ କାନ୍ଦ ।
ତେଣୁ , ମିଠା ପ୍ରୀତି ସପନରେ ସଜା
ହୃଦୟେ ଲୁଚାଇ ନେଇ ଯିବି ବହୁ ଦୂରେ
କଥା ମୋର ସବୁ ସ୍ମୃତିରେ ସାଇତା
ପ୍ରୀତିର କାହାଣୀ ଖୋଲି ଦେବି ସେଇ ପୁରେ ।
ଶୁଣିବ ଲୋ ସଖୀ ରାଜା ରାଣୀ ଗପ
ଖୋଲା ଆକାଶରେ ହସୁଥିବେ ଚାନ୍ଦ ତାରା
ଅନୁରାଗେ ସୁନା ଶୁଆ ଶାରୀ ଅନୁରୂପ
ବହୁଥିବ ସେଠି ଝରଣାର ସୁନା ଝରା ।
ଥିବ ଯହିଁ ଖାଲି ସପନ ବନର ଛବି
ସୁନା ହରିଣୀର କସ୍ତୁରୀ କସ୍ତୁରୀ ବାସ
କଳପନା ଆଉ ସପନର ହୋଇ କବି
ଫୁଟାଇବି ନିତି ତୁମ ହୃଦୟରେ ହସ ।
ହସ ଆଉ ସୁଖ ସମାଗମେ ସେଠି ଯେବେ
ପୁଣି ଏକାକାରେ ଲଖିବି ତୁମରି କଥା ,
ମୁଁ ହୋଇଯିବି କବି ଟିଏ
ଆଉ ତୁମେ ହୋଇ ଯିବ କବିତା ।
