STORYMIRROR

Biswanath Nayak

Others

4  

Biswanath Nayak

Others

ସପନ

ସପନ

1 min
407

ଆଖିରେ ମୋ ମିଠାମିଠା ଆଖିଏ ସପନ। 

ଉଡି ବୁଲନ୍ତି ସେମାନେ ରଙ୍ଗୀନ ପ୍ରଜାପତି ସାଜି,

ଏ ଫୁଲରୁ ସେ ଫୁଲକୁ ପିଇବାକୁ ମଧୁ। 

ଚନ୍ଦ୍ରକୁ ଯାଆନ୍ତି ଉଡି,

ପାଇବାକୁ ମୁଠାମୁଠା ଶୀତଳ ଜୋଛନା। 

ବୁଡି ଯାଆନ୍ତି ସେମାନେ ସାଗର ଗରଭେ,

ସାଉଁଟି ଆଣିବା ପାଇଁ,

ସାମୁକା ପେଟରେ ପଶି ଅମୂଲ୍ୟ ମୁକୁତା।  

ମିଶି ଯାଆନ୍ତି ସେମାନେ ଶିଶୁର ଆଖିରେ,

ତୋଳିବାକୁ ଆଞ୍ଜୁଳାରେ ତାର ସରଳତା। 

କଳ୍ପନା ବୋଇତେ ବସି,

ଯାଆନ୍ତି ସେମାନେ ଭାସି,

ତୋଳିବାକୁ ବାଲିଘର ମାଣିକ ଦ୍ଵୀପରେ। 

ଅପେକ୍ଷା କରନ୍ତି ଯାଇ ଅମରାବତୀରେ,

ତୋଳିବାକୁ ପାରିଜାତ ନନ୍ଦନକାନନୁ,

ବାଦଲ ପିଠିରେ ବସି,ଭାସନ୍ତି ସେମାନେ,

ଦେଖିବାକୁ ପୃଥିବୀକୁ ଆକାଶ ବକ୍ଷରୁ।  

ଅନ୍ତରୀକ୍ଷ ଯାନେ ବସି ଉଡନ୍ତି ସେମାନେ,

ଆବିଷ୍କାର କରିବାକୁ ନୂଆ ନୂଆ ଗ୍ରହ ଉପଗ୍ରହ। 

ସୁନାର ଫସଲ କ୍ଷେତେ ଖେଳନ୍ତି ଚକାଭଉଁରୀ,

ପବନରେ ଝୁଲିଝୁଲି ନୁଆଣିଆଁ ଧାନକେଣ୍ଡା ସଙ୍ଗେ। 

ରୁପାର ବନିଶୀ ଧରି ଘୁରନ୍ତି ସେମାନେ,

ଅଙ୍କାବଙ୍କା ନଈ ଧାରେ ଧରିବାକୁ ସୁନାର ଇଲିସି। 

ଚଢି ଯାଆନ୍ତି ସେମାନେ ପାହାଡ ବୁକୁରେ,

କର୍କଶ ପିଚ୍ଛିଳ ପଥ ଅତିକ୍ରମ କରି,

ପୋତିବାକୁ ଗିରିଶୃଙ୍ଗେ ବିଜୟ ପତାକା। 

ଧାଇଁ ଯାଆନ୍ତି ସେମାନେ

ଭେଦିବାକୁ ଦୁର୍ନୀତିର ଚକ୍ରବ୍ୟୁହ,

ସତ୍ୟନିଷ୍ଠ ଅଭିମନ୍ୟୁ ସାଜି।।     


ସପନରେ ଯଦି ଏତେ ରଙ୍ଗ ଓ ଆନନ୍ଦ,

ସପନଟା ସତ ହେଲେ ,

ରଙ୍ଗୀନ ଦୁନିଆଟା ହୋଇଯିବ ଆହୁରି ରଙ୍ଗୀନ। 

ଆଖି ମୋ ଝଲସିଯିବ ଅଷ୍ଟମ ରଙ୍ଗରେ,

ସପନ କଢି ଫୁଟିବ ସପ୍ତମ ଋତୁରେ,

ଆଠ ସୁରରେ ଶୁଭିବ ଜୀବନ ରାଗିଣୀ।


ତେଣୁ ହେ ରଜନୀ ରାଣୀ!

ଭାଙ୍ଗ ନାହିଁ ମୋହର ସପନ। 

କାଟ ନାହିଁ ମୋର ଡେଣା,

ଦଳିଦିଅ ନାହିଁ ମୋର ଆଶାର ସୁମନ। 

ତାହେଲେ ମୁଁ ଉଡି ପାରିବିନି,

ଲଙ୍ଘି ପାରିବିନି ଆଉ ସାଗରର ବିଶାଳ ବକ୍ଷକୁ। 

ତୁମେ ମୋର ପିଠି ଥାପୁଡାଅ,

ତୁମ କୋଳେ ଶୋଇ ଶୋଇ,

ଦେଖୁଥିବି ସୁନେଲି ସପନ,

ପ୍ରଭାତୀ କିରଣ ଆସି,

କବାଟ ଫାଙ୍କରେ ମୋତେ ଡାକିବା ପର୍ଯ୍ୟନ୍ତ। 

ତାପରେ ମୁଁ ଆଖିମଳି ଉଠିଯିବି,

ଚାଲିଚାଲି ଅତିକ୍ରମ କରିବାକୁ ଅନେକ ଦୂରତ୍ଵ,

କରିବାକୁ ମୋର ସବୁ ସପନ ପୁରଣ,

ଝୁଲେଇବାକୁ ସଭିଙ୍କୁ ମୋ ସପନ ଝୁଲଣାରେ,

ରଙ୍ଗେଇବାକୁ ସଭିଙ୍କୁ ମୋ ମନର ସପନ ରଙ୍ଗରେ।  



Rate this content
Log in