ସପନ ଶିଢ଼ି
ସପନ ଶିଢ଼ି
ମାନବ ଜୀବନ ଏକ
ଅନ୍ଧାରୁଆ ଶିଢ଼ି ର ପାହାଚ
ଚଢିବାକୁ ହୁଏ ଅତି ସନ୍ତର୍ପଣେ
ଅକସ୍ମାତ ଖସିଗଲେ ପାଦ
ଲକ୍ଷ୍ୟସ୍ଥଳ ଦୂରେ ବହୁ ଦୂରେ ।
ସ୍ନେହ ପାଲଟିବ ବଜ଼ାରର ପଣ୍ୟ
ପ୍ରେମ ହେବ ତୁଛ ଭୋଗ୍ୟ ବସ୍ତୁ
ମମତା ମାଗିବ ନିଜ ମୂଲ୍ୟ
ସଂସାର ପାଲଟିଯିବ ନିବିଡ଼ ଅରଣ୍ୟ ।
ଭୟଙ୍କର ହିଂସ୍ରଜନ୍ତୁ ପରିପୂର୍ଣ୍ଣ
ଆତ୍ମରକ୍ଷାର ପ୍ରୟାସ ଏକାନ୍ତ ନିଷ୍ଫଳ
ଜୀବନର ପ୍ରତିଟି ମୁହୂର୍ତ୍ତ
ଭରିଯିବ ହତାଶାର ଘନ ଅନ୍ଧକାରେ
ଅଶ୍ଵସ୍ତିର ଦୂରନ୍ତ ରାକ୍ଷସ କରିବ ପାଗଳ ।
ସୁଖ ଆଉ ସମ୍ଭୋଗର ଉଦଗ୍ର ବାସନା
କବଳିତ କରିବ ତୋ ଯାବତ ଚେତନା
ନୀତି ଆଉ ଅନୀତିର ସରହଦ ଡେଇଁ ଯାଇ
ସାଉଁଟିବୁ ବହୁ ଭୋଗ୍ୟ ବସ୍ତୁ
ଯାହା ସବୁ ସୁଖ ରୂପେ ଗଣା ।
ସୁଖର ସେ ଅଳୀକ ମୁହୂର୍ତ୍ତ
ହୋଇଯିବ ଧୀରେ ଅସ୍ତମିତ
ସମ୍ପର୍କର ଡୋରି କାଟିଦେଇ
ନିଜମାନେ ହୋଇଯିବେ ପର
ପଛକୁ ଚାହିଁବୁ ଯେବେ ଫେରି
ଚତୁର୍ଦିଗେ ଘନ ଅନ୍ଧକାର ।
ଜୀବନର ଶିଢ଼ି ଚଢି ଆଗକୁ ଆଗକୁ
ଯିବା ବେଳେ ଚାଁହା ଥରେ ଫେରି,
ସବୁ ଉତ୍ଥାନର ପତନ ନିଶ୍ଚିତ
ଫେରିବାକୁ ବାଧ୍ୟ ହେବୁ ଦିନେ
ଶେଷ ହେବ ଯେବେ ତୋର ସପନ ର ଶିଢ଼ି ।।