STORYMIRROR

Ramachandra Bhutia

Others

4  

Ramachandra Bhutia

Others

ସପନ ବଣିକ

ସପନ ବଣିକ

1 min
266

ସେଦିନ ଶୟନେ ଦେଖିଲି ସପନେ

ଶ୍ୟାମଳ ସୁନ୍ଦର ମୂର୍ତ୍ତି

ନୀଳ ନବଘନ ମନୋହର ତନୁ

ନୀଳମଣି ଜିଣି କାନ୍ତି


ପୟରେ ପାଦୁକା ନୂପୁର ଶୋଭିତ

ପାଟ ପିତାମ୍ବରୀ ଅଙ୍ଗେ

ଝୀନ ବସନକୁ ରଙ୍ଗ ଉତ୍ତରୀୟ

ଘାଗୁଡି ଯେ କଟୀ ଭାଗେ


ବଳୟ ବାହୁଟି ଝଟକି ଉଠନ୍ତି

ସୁବର୍ଣ୍ଣ ପଇତା ସ୍କନ୍ଧେ

ହୃଦେ ପଡ଼ିଥିଲା ରତ୍ନ ମଣିମାଳା

ଦିବ୍ୟ ପୁଷ୍ପମାଲ୍ୟ ବକ୍ଷେ

 

କଉସ୍ତୁଭ ମଣି ଦିଶେ ଦାଉଦାଉ

ହୃଦୟେ ଶ୍ରୀବତ୍ସ ଚିହ୍ନ

ଦିବ୍ୟ ଅଳଙ୍କାରେ ଭୂଷିତ ଶରୀର

ଦିଶେ କୋଟିସୂର୍ଯ୍ୟ ସମ


କର୍ଣ୍ଣରେ କୁଣ୍ଡଳ ମସ୍ତକେ କିରୀଟ

ହସ୍ତରେ ସୁବର୍ଣ୍ଣ ବେଣୁ

ତ୍ରିଭଙ୍ଗି ଠାଣିରେ ଠିଆ ହୋଇଥିଲେ

ପାସୋରି ହେଉନି ମନୁ


ରଙ୍ଗ ଅଧରର ମନ୍ଦମନ୍ଦ ହାସ

ଧନ୍ୟ ସେ ବାଙ୍କ ଚାହାଣି

ନୟନେ ତାଙ୍କର ଚକ୍ଷୁ ମୋ ମିଶିଲା

ହୃଦୟ ହୋଇଲା ହାଣି


ମୟୂର ଚନ୍ଦ୍ରିକା ଶୋଭା ପାଉଥିଲା

ଗଳାରେ କାଇଁଚ ମାଳି

ଲୋଟି ଗଲି ଯାଇ ଚରଣେ ତାଙ୍କର

ଶ୍ରୀ ହସ୍ତେ ଧରିଲେ ତୋଳି


ଚାହିଁ ନ ପାରିଲି ରଙ୍ଗାବଦନକୁ 

ବାକ୍ୟ ନ ସ୍ଫୁରିଲା ମୋର

ଭୁଲି ଯାଇଥିଲି ଲାଜ ଅପମାନ

ନଥିଲା କାହାର ଡର


ଜଡେଇ ଧରିଲି ଶ୍ୟାମଳ କୋମଳ

ଶ୍ରୀଅଙ୍ଗକୁ ମୋର ହୃଦେ

ସେହି ମନଚୋର ହରିଲେ ଚିତ୍ତ ମୋ

ମଧୁର ପିରତି ଛନ୍ଦେ


କି କହିବି ଆଉ ଯାହା ସେ କରିଲେ

ଲାଜେ ମୁଁ ଯାଉଛି ଜଳି

ରୂପ ତ ମୋହନ କାମରେ ଧୂରିଣ

ମଦନକୁ ଗଲେ ବଳି


ସାରିଦେଇ ମୋର ମାନ ମହତକୁ 

କହିଲେ ମଧୁର ବାଣୀ

ଆସିବି ସଖୀ ମୁଁ ଉଛୁର ହେଉଛି

ଦିଅ ହେ ମୋତେ ମେଲାଣି


ଉତ୍ତରକୁ ମୋର ନ କଲେ ଯେ ଘେନା

ଏଡ଼େ ଅବିବେକି ସେହି

ଚାଲିଗଲେ ସେ ତ ଆସିବି ପୁଣି ମୁଁ

ମଥା ଛୁଇଁ କଥା ଦେଇ


ନିଦ୍ରା ଭାଜିଗଲା ଉଠିଲି ଯେବେ ମୁଁ

ଦେଖିଲି ତାଙ୍କର ଚିହ୍ନ

ରହିଛି ସର୍ବତ୍ର ଶେଯ ଅଙ୍ଗ ଯାକ

କାହିଁ ଗଲେ ପ୍ରାଣଧନ


ଆକୁଳ ଚିତ୍ତରେ କରେ ନିବେଦନ

ବିକଳ ହୁଏ ମୋ ମନ

ଆଉ ଥରେ ଆସ ହୃଦୟ ଦେବତା

କର ବାରେ ଆଲିଙ୍ଗନ


ସେହିଦିନୁ ସଖୀ ତାଙ୍କ ବାଟ ଦେଖି

ରାତି ମୋ ଯାଉଛି ପାହି

ତନୁ ମନ ଆତ୍ମା ଦେଇଛି ସମର୍ପି

ରହିଛି ତାହାଙ୍କୁ ଚାହିଁ


ଆସିଲେ ଏଥର ଛାଡିବିନି ଆଉ

ଗଣ୍ଠି ପକାଇ ରଖିବି

ମୋହିତ ନ ହେବି ତାଙ୍କର ବଚନେ

ମନ କଥାକୁ କହିବି


ଚରଣେ ଶରଣ ଦିଅ ହେ ଗୋସେଇଁ

ମୁଁ ତ ଅଟେ ତୁମ୍ଭ ଦାସୀ

ପାରୁନାହିଁ ସହି ବିରହ ବେଦନା

ଆହେ ନୀଳାଚଳବାସୀ



Rate this content
Log in