ସଞ୍ଜ ରୁ ସକାଳ
ସଞ୍ଜ ରୁ ସକାଳ
ବର୍ଷା,
ତୋତେ ଆଜି ଝୁରିହୁଏ
ପ୍ରତିକ୍ଷଣ ପ୍ରତିଟି ମୂହୁର୍ତ୍ତ
ଥିଲୁ ତୁ ସାଥେ ମୋର
ହୋଇଥିଲି ଖୁସି।
ତୁ ମୋତେ ଭିଜେଇଦେଇ
ହେଲୁ ସିନା ମର୍ମାହତ
ହେଲେ ମୁଁ...
ହଜିଯାଇଥିବା ତୋରି ପ୍ରେମ
ତୋର ଆଲିଙ୍ଗନରେ
ବାନ୍ଧି ହୋଇ ଉପଭୋଗ କଲି
ଏହି ଭିଜାମାଟିର ବାସ୍ନାକୁ।
ଓଦା ଜଡସଡ ହୋଇ
ସର୍ପ ଭଳି ଗୁଡେଇ ହୋଇଥିବା
ମୋ ଲୁଗାକାନିଟା
ଜଡେଇ ଧରିଥିଲା ମୋତେ
ମୋ ଦେହର ଲୁକ୍କାୟିତ ଅଙ୍ଗସବୁ
ପରିଷ୍ପୁଟ ହୋଇ
ଫୁଟି ଦିଶୁଥାଏ
ସତେ ଯେମିତି ତୁ ମୋତେ
ମୋର ଅଙ୍ଗେଅଙ୍ଗେ
ଦେବାକୁ ଚାହୁଁଛୁ
ଚୁମ୍ବନର ସରୁ ଆସ୍ତରଣ ।
ବର୍ଷା, ଆଜି ବି ମନେପଡେ
ତୋ ସହିତ ବିତାଇ ଥିବା
ସେହି ପ୍ରେମର ସ୍ମୃତି
ହେଲେ...
ଫେରିବାକୁ ଇଚ୍ଛା ହୁଏ
ହଜିବାକୁ ତୋସାଥେ
କିନ୍ତୁ ସମୟ ନେଇଛି ଭିଡି
ବୟସର ଅପରାହ୍ନେ
ପାରୁନି ତ ଯାଇ,
ତୁ ଅଛୁ ରହିଥିବୁ ମଧ୍ଯ
ମୁଁ କିନ୍ତୁ ଦୂରେଥାଇ
ବିରହୀ ପ୍ରେମିକା ପରି
ଛଟପଟ ହେଉଥିବି
ଜଳୁଥିବ ମନେ ମୋର
ସ୍ମୃତିର ଅନଳ ଶିଖା
ତୋ ସହ ବିତାଇଥିବା
ସେହି ସ୍ମୃତି
ଜାଗୁରିତ ହେଉଥିବ
ସଞ୍ଜରୁ ସକାଳ
ଜୀବନର ଶେଷ ନିଆଁ ଯାଏଁ।
