ସଞ୍ଜ ରାଣୀର ସୌନ୍ଦର୍ଯ୍ୟ
ସଞ୍ଜ ରାଣୀର ସୌନ୍ଦର୍ଯ୍ୟ




ସଞ୍ଜ ଯେବେ ଆସେ ମୋ ଗାଆଁରେ
ହମ୍ବା ରଡି ଶୁଭେ ଗାଇ ଗୋଠରେ ।
ସୁରୁଜ ଢଳନ୍ତି ମୁରୁଜ ବୁଣି
ଲୋହିତ ବର୍ଣ୍ଣର ପାଟଳ ଟାଣି ।
ଚାଷୀ ଫେରେ ହଳ ଲଙ୍ଗଳ ଟାଣି
ବଳଦ ଯୋଡିଙ୍କୁ କୁଣ୍ଡା ତୋରାଣି।
ପକ୍ଷୀ ଗଣ ନୀଡେ ଗଲେ ବାହୁଡି
ଉଲ୍ଲୁକ ଜାଗିଲା ନୟନ ଫେଡି ।
ସଞ୍ଜ ବତୀ ଜାଳି ଗୃହିଣୀ ମାନେ
ଶୁଭ ମନାସନ୍ତି ଗୃହ ଅଙ୍ଗନେ।
କମଳିନୀ ସତୀ ହେଲା ମୁଦ୍ରିତ
କୁମୁଦିନୀ ଦିଶେ ପୁଲକ ଚିତ୍ତ ।
ତାରାଗଣ ହାତେ ହାତକୁ ଧରି
ଆକାଶେ ପ୍ରକଟ ଚାନ୍ଦୁଆ ପରି ।
ଭାଗବତ ଘରେ ପୁରାଣ ପଣ୍ଡା
ଭକତ ମାନଙ୍କୁ ଦିଅନ୍ତି ଧଣ୍ଡା।
ଅତିବଡି କୃତ ନବ ଅକ୍ଷରୀ
ଭକତ ଶୁଣନ୍ତି ବିଭୁ ସୁମରି ।
ସଂସ୍କାର ସଂସ୍କୃତି ଚାଲି ଚଳନ
ଭକତ ଈଶ୍ବର ମହା ମିଳନ ।
ନଦିଆ କୀର୍ତ୍ତନ ଖଞ୍ଜଣି ମାଡ
ମନ୍ଦିର ବେଢାରେ ଜମିଲା ଭିଡ ।