ସଞ୍ଜ ନଇଁଗଲା ବେଳେ
ସଞ୍ଜ ନଇଁଗଲା ବେଳେ
1 min
184
ଚୂତ ବୃକ୍ଷ ଡାଳେ ପତର ଗହଳେ
ବସି ରହି କାହା ଦୂତ
କରି କୁହୁତାନ ହରିନିଏ ମନ
ହୃଦୟକୁ କରି ପୁତ ।
ନବ ପଲ୍ଲବରେ ଆନନ୍ଦ ବିହରେ
ଧରା ହୁଏ ପଲ୍ଲବିତ
ଡାକୁଅଛି କେହି ସତେ ମନ ମୋହି
ବସିବାକୁ ମୋର ମିତ ।
ଚଇତି ମଳୟ ଚୁମଇ ଆଳୟ
ନବ ଉନ୍ମାଦନା ଖେଳେ
ଶୁଷ୍କ ହୃଦୟରେ ପ୍ରେମ ଜାତ କରେ
ସଞ୍ଜ ନଇଁଗଲା ବେଳେ ।
ଆଶାର କିରଣ କରି ବିକିରଣ
ଏଇ ଅମାନିଆ ମନେ
ବିଗତ ଫଗୁଣ ଫେରିବକି ପୁଣ
ଝଲସେ ହୃଦୟ କୋଣେ ।
ତଥାପି କାହିଁକି ମନ ବୁଝେନାହିଁ
ଆସଇ ପୁରୁଣା ସ୍ମୃତି
ମନ ଭୁଲିଯାଏ ଦେହ ହଜିଥାଏ
ଜୀବନର ହେଲେ ଇତି ।
ଚଇତି ଆସିବ ଚଇତିବି ଯିବ
ଶୁଭୁଥିବ କୁହୁତାନ
ସତ୍ୟ ସଙ୍ଗେ ହୁଅ ପରମ ବାନ୍ଧବ
ସାଇଁ ପାଦେ ଦେଇ ମନ ।
