ସଞ୍ଚୟ
ସଞ୍ଚୟ
ସଞ୍ଚୟ କରିବା ଶକ୍ତି ମାନବ କରିଛି ସିଦ୍ଧି
କୀଟ ପତଙ୍ଗ ପ୍ରଜାତି ମଧ୍ୟେ ଜାଣେ ମଧୁମକ୍ଷୀ ।।
ଫୁଲରୁ ଫୁଲକୁ ଉଡ଼ି ମଧୁର ରସ ଶୋଷନ୍ତି
ମଧୁ ସଂରକ୍ଷଣେ ତା’ର ସଞ୍ଚିବାର ଅଛି ଶକ୍ତି ।।
ପୀୟୂଷ ସଞ୍ଚିତ ରସ ସାମାଜିକ ଉପଯୋଗ
ଔଷଧୀୟ ଗୁଣେ ପୁର୍ଣ୍ଣ ପୂତ ପଞ୍ଚାମୃତ ଭୋଗ ।।
ଧାଡ଼ି ଧାଡ଼ି ପିପିଲିକା ଖୋଜନ୍ତି ବୁଲି ଆହାର
ବରଷା ଆଗମୁ ଖାଦ୍ୟ ସଞ୍ଚୁଥାନ୍ତି ନିରନ୍ତର ।।
ପତଙ୍ଗ ପିମ୍ପୁଡ଼ି ଗପ ସମସ୍ତଙ୍କୁ ଅବଗତ
ସଞ୍ଚିତ ପଦାର୍ଥ ତା’ର ବରଷା କାଳର ଖାଦ୍ୟ ।।
କୃଷକ ସଞ୍ଚଇ ଶସ୍ୟ ବପନଳରେ କ୍ଷେତରେ
ବଳକା ସଞ୍ଚୟ ଖାଦ୍ୟ ପିଲା ଛୁଆଙ୍କ ପେଟରେ ।।
ଧର୍ମଧନ ସଞ୍ଚୟାର୍ଥେ ଉପଦେଶାତ୍ମକ ବାଣୀ
ମରଣଶିଳ ଜୀବନେ ଯେ ହୋଇବ ଧନଧର୍ମି ।।
ସୁଗମ ସରଗ ପଥ ସୁଖ ଭୋଗ ରେ ନିରତ
ମିଳିବ ବୈକୁଣ୍ଠେ ସ୍ଥାନ ରହିବ ଯେହ୍ନେ ନକ୍ଷତ୍ର ।।
ବିତ୍ତ କରି ଉପଯୋଗ ଦେବାନେବା ନିରନ୍ତିତ
ସଞ୍ଚିତ ବିତ୍ତ ରେ ଚିତ୍ତ ପ୍ରଶନ୍ନେ ସେ ପ୍ରଫୁଲ୍ଲିତ ।।
ଅଭାବେ ରଖେ ସ୍ଵଭାବ ଅନେକ ଦୁଃଖ ରୁ ପାର
ମିଳେ ଅଲଭ୍ୟ ପଦାର୍ଥ ସଞ୍ଚୟ ଅର୍ଥରେ ତାର ।।
ରୋଗେ ଦୁଃଖେ ସୁଖେ ମନେ ଆସଇ ଅପାର ଶକ୍ତି
ଅଚିରେ ଜୀବନୁ ଲିଭେ ଦୁଃସମୟ ଭୟ ଭିତି ।।
ମହାଦେଈ ମହାଲକ୍ଷ୍ମୀ ପଦ୍ମାସନେ ବିରାଜିତ
ତା ନାମେ ବିତ୍ତ ସଞ୍ଚୟ (କର),ଅଭ୍ୟାସେ ପରିଣତ ।।
