STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ସନ୍ତାନ ପ୍ରତି

ସନ୍ତାନ ପ୍ରତି

1 min
202


କାଳେ ତୋ ହାତ ପାଇବନି ବୋଲି

ମୁଁ ହାତ ବଢାଇ ଦେଉଥିଲି ଆକାଶ ଛାତିରୁ 

ଜହ୍ନ ତୋଳିବାକୁ ,

କାଳେ ତୁ ଝୁଣ୍ଟି ପଡିଡୁ ବୋଲି 

ମୁଁ ନାଉକରି ବାଟ ଚାଲୁଥିଲି,

ଘୋଡାହୋଇ ପିଠିରେ ବସେଇ 

ତାରା ଗଣୁଥିଲି ,

ଅନ୍ଧାରରେ ଗୁରୁଣ୍ଡି ଗୁରୁଣ୍ଡି 

ବାଟ ଚାଲିଲା ବେଳେ ମୁଁ 

ତେତେ ଆଲୋକକୁ ଟାଣି ନେଉଥିଲି ,

ଦୁନିଆର ସବୁ ସୁଖ 

ତୋ ହାତରେ ଅଜାଡି ଦେବାକୁ

ଝଡର ଇଗଲ ହୋଇ 

ଆକାଶରେ ଉଡିବୁଲୁଥିଲି ,

ସବୁ ସ୍ବପ୍ନକୁ ମୋର ଦଳିମକଚି

ତୋ ଆଖିରେ ସ୍ବପ୍ନ ମୁଁ ଭରି ଦେଇଥିଲି 

ବିନ୍ଦୁଏ ଲୁହ ଝରିବନି ବୋଲି

ସବୁତକ ଲୁହ ତୋ'ର ମୁଁ ପିଇଯାଉଥିଲି ।


ଓଦାମାଟିରେ କାଳେ ତୋ ପାଦ

ଖସିଯିବବୋଲି 

ତୁ ପଡିଯିବା ପୂର୍ବରୁ ତୋ ଅଣ୍ଟାକୁ

ମୁଁ ଭିଡି ଧରୁଥିଲି ,

ଅନ୍ଧାରକୁ ତୁ ଡରୁବୋଲି

ଆଲୋକର ବତୀଖୁଣ୍ଟଟିଏ ପୋତି ଦେଇଥିଲି ,

କେତେବେଳେ କେମିତି ଗଭୀର ରାତିରେ 

ତୋ ନିଦ ଭାଙ୍ଗିଗଲେ

ମୁଁ ଟାଣିଆଣୁଥିଲି ମୋ ପ୍ରସସ୍ଥ ଛାତିକୁ

ତୋ ନରମ ପିଠିକୁ ମୁଁ ମୋ ଶକ୍ତ ପାପୁଲିରେ

ଥାପୁଡେଇ ଦେଇ ଗାଉଥିଲି-

"ଧୋ ରେ ବାଇଆ ଧୋ "

ତୁ ମଧ୍ୟ ନିର୍ଭୟରେ ଶୋଇପଡୁଥିଲୁ

ପୃଥିବୀର ସବୁଠୁ ନିରାପଦ ଜାଗା ଭାବି ।


ଆଉ କେବେ ଯଦି ଅଝଟ ହେଉଥିଲୁ

ମୁଁ ସିନା ତାଗିଦ୍ କରୁଥିଲି !

ହେଲେ ମୋ ପେଟ ପୂରିଯାଉଥିଲା

ଖୁସିରେ ଖୁସିରେ

ତୋ ଅଝଟ ପଣରେ , ପୁଣି

ମୋ ବାପ ପଣିଆରେ । 

ଆଉ କେତେବେଳେ 

ତୁ ଅମାନିଆ ହେଉଥିଲେ

"ବୁଢୀ ଅସୁରୁଣୀ" ଗପ କହି

ତୋତେ ଡରାଇବାକୁ 

ଚେଷ୍ଟା କରୁଥିବାବେଳେ

ମୁଁ ନିଜେ ବି ଡରି ଯାଉଥିଲି

ଖୁବ୍ ଜୋର୍ ରେ ।।


ଆଜି ତୁ ଖୁବ୍ ବଡ ହୋଇଯାଇଛୁ

ଉଦ୍ଦାମ ଯୁବକ

ମୋ କାନ୍ଧରେ ବସି

ଜହ୍ନ ଦେଖିବାର ବୟସ ତୋର ଅତିକ୍ରାନ୍ତ

ଭରପୁର ତୋ ମନ ପ୍ରାଣ ଓ ଦେହ

ଯୁବ ସୁଲଭ ଗୁଣରେ ,

ଆଜି ଓ କାଲି ଭିତରେ 

ଅନେକ ଫରକ ।

ଆଜି କାହିଁକି ଡରିଯାଏ ମୁଁ 

ତୋ ଅଝଟପଣରେ

ଛାତି ମୋର କୋରି ହୋଇଯାଏ

ଥପ୍ ଥପ୍ ନିଗିଡି ପଡେ ବିନ୍ଦୁ ବିନ୍ଦୁ ରକ୍ତ

ତୋ ଅମାନିଆ ଗୁଣରେ,

କାଳେ ମୋ ଠାରୁ ଦୂରେଇ ଯିବୁ ବୋଲି

ଅନେକ ଥର ଡରିଯାଏ 

କେଉଁ ଏକ ଅଜଣା ଭୟରେ

ଅସରା ଅସରା ଲୁହ ବହିଯାଏ

ମୋ ଅଜାଣତରେ ,

ବିଳପି ଉଠେ ମୋ ପିତୃତ୍ବ

ନୀରବ ନିଥର ରାତିରେ  

ସ୍ବପ୍ନ ମୋର ଭାଙ୍ଗିଯାଏ

କେଉଁ ଏକ ଅଦିନ ଝଡରେ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍