ସଂସାର,ସତ୍ଯ ନା ମିଥ୍ଯା
ସଂସାର,ସତ୍ଯ ନା ମିଥ୍ଯା
ସଂସାରଟା ମାୟାର ଭେଳିକି
ଯେଉଁଠି ସୌନ୍ଦର୍ଯ୍ଯର ହାଟ ବସେ
କେତେ କିଣା ଆଉ ବିକା
ଦେବା ଆଉ ନେବା ଚାଲେ ଦିନରାତି।
କିଏ କିଣି ନାହିଁ କୁହ ସୌନ୍ଦର୍ଯ୍ୟର ଚିଜ
ଭଲକୁ ହାତେଇବା ନିଶା
ଭଲରେ ନ ହେଲେ ମନ୍ଦରେ
ସତ୍ଯରେ ନ ହେଲେ ମିଥ୍ଯାରେ
କଳେବଳେ କୌଶଳେ,ନୁହେଁ?
ଏଠି ଚାଲେ ଧର୍ଷଣ,ଶୋଷଣ,ହତ୍ଯା ଆଉ ଲୁଣ୍ଠନ
ସତ୍ଯର ନୀରବତାରେ ମିଥ୍ଯାର ରାଜୁତି
ମିଥ୍ଯା ହସୁଥାଏ ହାତେଇ ସବୁକୁ
ନିଶେ ତେଲ ଦେଇ ମୋଡେ଼ ଗର୍ବ ଓ ଦମ୍ଭରେ।
ସାରା ନାଟକର ଦୃଶ୍ଯଟା
କେବଳ ହିଁ ତାର।
ତାର କାୟା ବିସ୍ତାରିତ
କେବଳ ଲମ୍ବା ହାତ ନୁହେଁ
ଚେର ବି ଯୋଜନ ଯୋଜନ
ତାକୁ ସହଯୋଗ ଏ ଯୁଗର ଯେତେକ ରାବଣ,
ମହିଷାସୁର ଓ କଂସ।
ଯେବେ ମିଥ୍ଯାର ରାଜୁତିରେ ସଂସାର
ରସା ତଳକୁ ଯାଏ
ଈଶ୍ବରଙ୍କ ଇଛାରେ ଇଛାରେ
କାନ୍ଦୁଥିବା ସତ୍ଯର ହିଁ ଜୟଲାଭ।
ବିଚରା !
ମିଥ୍ଯାର ଯବନିକା ପଡି଼ଯାଏ
ଗୋଡେ଼ଇ ଗୋଡେ଼ଇ ହଣାଖାଇ ମୃତ୍ଯୁର ଦ୍ବାରରେ
ଅଥଚ ସତ୍ଯ କାନ୍ଦିକାନ୍ଦି ମରୁଥିଲେ ବି
କ୍ଷଣକେ ହେଉ ପଛେ
ଖେଳିଯାଏ ମୁଖରେ ଚିମୁଟେ ହସ।
ହେ ସଂସାରର ସୌଦାଗରମାନେ
କାହାକୁ ଆପଣେଇବ ଏବେ ତ ନିଜର ହାତରେ ସବୁ
ନିତି ହସିହସି ମରିବା ଠିକ୍
ନା ନିତି କାନ୍ଦିକାନ୍ଦି ଶେଷରେ ଜିତିବା ଠିକ୍।
ସିଦ୍ଧାନ୍ତ ଆପଣଙ୍କର
ଏ ସଂସାର,ସତ୍ଯ ଓ ମିଥ୍ଯାର ହାଟରେ।
