ସଂପର୍କ ହୁଏ ନାହିଁ ଅନ୍ତ
ସଂପର୍କ ହୁଏ ନାହିଁ ଅନ୍ତ
ଠିକ୍ ମେଘମାଳା ପରି
ମନର ଆକାଶରେ
ସ୍ମୃତି ସବୁ
ବିସ୍ତାରିତ ହେଉଥାନ୍ତି
ଆଙ୍କୁଥାନ୍ତି ଛବିଳ ସୁନ୍ଦର
ଚିତ୍ର ଆବେଗର ।
ପୁଣି କେବେ ଦେଖୁଥାଏ
ଝର୍କାର ଆରପାଖେ
ସ୍ମୃତି ସବୁ
ବର୍ଷା ହୋଇ ଝରିପଡେ
ଟପ୍ ଟାପ୍ ସୁର ତୋଳି
ଗୀତିମୟତାରେ ବିଭୋର ହୂଏ
ମୋର ଆଦ୍ର କଣ୍ଠସ୍ବର ।
ମେଘ ସହ ସ୍ମୃତି ଆସେ
ତା'ର ଶୀତଳ ଛୁଆଁରେ
ବର୍ଷା ପୁଣି
ଲୁହ ହୋଇ ଝରିପଡେ
ସିକ୍ତ କରେ ଦୁଇ ଆଖି କୋଣ
ଯୋଡିଦିଏ ଅସରନ୍ତି
ସ୍ମୃତି ଫର୍ଦ୍ଦ ତାର ।
ବର୍ଷା ସହ ସ୍ମୃତିର ସଂପର୍କ
ଖୁବ୍ ନିବିଡ଼
ଅନ୍ଯନ୍ଯ, ଅନାବିଳ,
ବର୍ଷା ପୁଣି ଦିଏ ତାକୁ ପ୍ରାଣ
ମେଘ ସହ ସ୍ମୃତି ତୋଳେ
ମିଛି ମିଛି ଘର ।
ଆଶାଢର ପହିଲି ବର୍ଷାର ଛିଟା
ସତେ କେତେ ମିଠା
ଆକଣ୍ଠ ମୁଁ ପିଇଯାଏ
ସେଇ ବାସ୍ନା, ସେଇ ବର୍ଷା
ଚାତକୀ ମୁଁ
ପାଗଳ ମତେ କରେ
ତାକୁ ପାଇବାର ମୋହ
ବାସ୍ନା ପୁଣି ତା ଭିଜା ମାଟିର ।
ନିରୋଳାରେ ବର୍ଷା ସହ
ସ୍ମୃତି ବାଣ୍ଟିବାକୁ
ଖୁବ୍ ଭଲଲାଗେ
ସିଏ ହିଁ ତ
ପ୍ରକୃତ ସାଥିଟିଏ,
ତା'ର ସ୍ନିଗ୍ଧ ଜଳବିନ୍ଦୁ
ଧୋଇଦିଏ ସବୁତକ
ଲୁହ ସତେ ମୋର ।
ଦୂର ପରବତ ସୁନ୍ଦର ପରି
ମେଘ ଖୁବ୍ ମନଲୋଭା
ତା'ସହ ସ୍ମୃତି ଟିକେ ଖେଳିଦେଲେ
ଲୁଚକାଳି ଖେଳ
ସେ ହେଇଯାଏ ଆହୁରି ଜୀବନ୍ତ
ମେଘ ପୁଣି ଦୂରରୁ
ଢାଙ୍କିଦିଏ ପଣତ ସ୍ମୃତିର ।
ମେଘ, ବର୍ଷା, ସ୍ମୃତି
ଅନନ୍ଯ, ଅପରୂପ, ଅନୁପମ
ଭରୁଥାନ୍ତି ଜୀବନର ରଙ୍ଗ
ତୋଳୁଥାନ୍ତି ଜିଇଁବାର
ଯେତେ ସବୁ ଛନ୍ଦ,
ଅନ୍ତ ହୁଏନାହିଁ ସଂପର୍କ
କେବେ ବି ତାଙ୍କର ।।
