ସଙ୍ଗରୋଧର ଜୀବନ
ସଙ୍ଗରୋଧର ଜୀବନ


ବୁଝିଥିଲି ମଣିଷ ହେବା ଅର୍ଥ -
ହାତରେ ହାତ ମିଶେଇ
କାନ୍ଧରେ କାନ୍ଧ ମିଶେଇ ବାଟ ଚାଲିବା
ଜାତି ଧର୍ମ ବର୍ଣ ଭେଦଭାବକୁ ଭୁଲିଯାଇ
ମନ୍ଦିର ମସଜିଦ ଗୀର୍ଜାକୁ ଏକାଠି କରି
ଗୋଟିଏ ଶବ୍ଦରେ ଲେଖିଦେବା 'ଈଶ୍ଵର' ଏକ ।
କିନ୍ତୁ କୁହତ -
ମଣିଷ କ'ଣ କେବେ ଏକାଠି ଜିଇଁବା ଶିଖିଛି
ନିଜର ଆଧିପତ୍ୟ ମହାନ ହେବାର ଅହମିକାରେ
ନିଜକୁ ନିଜେ ମାରି ଚାଲିଛି
ନିଜକୁ ନିଜେ ଖାଇ ଚାଲିଛି ।
ଯେତେ ଯେତେ ଥର ପ୍ରଶ୍ନଟେ ହେଇଛି
ସେତେ ସେତେ ଥର ଉତ୍ତରଟେ ମିଳିଛି
ପ୍ରକୃତିକୁ ଖାଇଛି କିଏ ?
ମଣିଷ
ଜଙ୍ଗଲକୁ କାଟିଛି କିଏ ?
ମଣିଷ
ମାଟିକୁ ଖୋଲିଛି କିଏ ?
ମଣିଷ
ପାଣି ପବନରେ ବିଷ ଭରିଛି କିଏ ?
ମଣିଷ
ଫୁଲଟିଏ ଫୁଟିବା ଆଗରୁ ତାକୁ ତୋଳିଛି କିଏ ?
ମଣିଷ ।
ରେ ମଣିଷ
ତୁ ତ ସବୁ କିଛି ଗଢିପାରୁ
ଭାଙ୍ଗିପାରୁ ପୁଣି ଗଢିପାରୁ ବୋଲି
ଦାବିକରି ଆସିଛୁ କାହିଁ କେତେ ଯୁଗରୁ ।
ସତେ ଯେମିତି ପୃଥିବୀଟା କେବଳ ତୋ'ର !
ଆଉ ଏବେ ମାଇଲ ମାଇଲ ଦୂର ବାଟ ଚାଲିବା
ଭୋକ ଉପାସରେ ଦିନ କାଟିବା
ସବୁ ଥାଇ ବନ୍ଦିଶାଳାରେ ଜୀବନ ଜିଇଁବା
ନିଜ ଦେହକୁ ନିଜେ ନ ଛୁଇଁବା
ଏହା ବି ତ ତୋ ଭାଗ୍ୟ ତୋ ଅଧିକାର ।
ତେଣୁ ତାକୁ ଭୋଗି ଯା'
ତାକୁ ଜଗି ଯା'
ଦେଖିବୁ ଜିତାପଟ ବି ତୋର ।
ସମୟଠୁ ସମୟକୁ ଧାର ମାଗିବା
କେତେ ଯେ କଷ୍ଟ, ଏ କଥା ଅନୁଭବି ହିଁ ଜାଣେ ।
ତେଣୁ ଆସ ଅନୁଭବି ଯିବା
ଏବେ ଯୁଝିବାର ବେଳ
ବୁଝିବାର ବେଳ
ବୁଝେଇବାର ବେଳ ।
ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ
ଏହାହିଁ ତ ନିୟତି ।
ତେଣୁ ଏତେ ବ୍ୟସ୍ତ କାହିଁକି
ଏତେ ଅଧର୍ଯ୍ୟ କାହିଁକି
ଟିକିଏ ଅପେକ୍ଷା କର
ଆଜି 'ସଙ୍ଗରୋଧରେ' ଜିଇଁଛେ ଯଦି
କାଲି 'ସଙ୍ଗବୋଧରେ' ଜିଇଁବାନିକି