STORYMIRROR

Samita Swain

Others

3  

Samita Swain

Others

ସଂଧ୍ୟାରୁ ସକାଳ

ସଂଧ୍ୟାରୁ ସକାଳ

1 min
269


ଅଂଶୁମାନ ଯେବେ ହେଲେ ଅସ୍ତମିତ 

ପଶ୍ଚିମ ଆକାଶେ କୁଙ୍କୁମ ଶୋଭିତ।।


ନୀଳ ନଭ ଦେଶେ ପକ୍ଷୀ ଦଳ ଦଳ 

ଫେରୁଥାନ୍ତି ନୀଡ କରି କୋଳାହଳ।।


ଗାଈଆଳ ପିଲା ଗୋରୁ ଗୋଠଧରି

ଗୀତ ଗାଇ ଗାଇ ଘର ଆସେ ଫେରି।।


ସଂଧ୍ୟା ଆଗମନେ କୂଳବଧୁ ମାନେ

ଦୀପଦାନ କରୁଥାନ୍ତି ସୁପ୍ରସନେ।।


କଳା ପାଟ ପିନ୍ଧି ଆସେ ନିଶୀଥିନୀ 

ଧୀରେ ଧୀରେ ସ୍ତବ୍ଧ ହୁଅଇ ଅବନୀ।।


ବିଭାବରୀ ପାଦ ନୂପୁର ନିକ୍ୱଣ

ରହିରହି ଶୁଭେ ବେଳେ ଝିଲ୍ଲୀ ସ୍ୱନ।।


ଯାମିନୀ ରାଣୀର ଶୀତଳ ପରଶ  

ପାଇ ନୀଳ କଇଁ ଦିଶଇ ହରଷ।।


ସୁଧା ଧାରା ଝରେ ସୁଧା କିରଣରୁ

ଦିଗନ୍ତ ବିସ୍ତାରୀ ଶୋଭା ସୁଷମାରୁ।।


ବିଭାବରୀ କାର୍ଯ୍ୟ କରି ସମ୍ପାଦନ 

ସ୍ୱାଭିମାନ ସହ କରଇ ପ୍ରସ୍ଥାନ।।


ପ୍ରଭାତୀ ତାରାର ମୁଖ ହସହସ 

ଧୀରେ ଧୀରେ ଉଷା କରଇ ପ୍ରବେଶ।।


ଜଡ ଚେତନର ପ୍ରାଣୀ ଯେ ସକଳ

ନିଦ୍ରା ତେଜି ସର୍ବେ ହୁଅନ୍ତି ଚଞ୍ଚଳ ।।

 

କୁସୁମ ଫୁଟଇ ପାଖୁଡା ମେଲେଇ 

ଧୀର ସମୀରଣ ସ୍ବାଗତ କରଇ।।


କମଳ କଳିକା ହୋଇ ଢଳଢଳ 

ସରସୀ ଦିଶଇ ସୁରମ୍ଯ ର ସ୍ଥଳ।।


ସୌନ୍ଦର୍ଯ୍ୟର ଶୋଭା ନୀଳିମାକୁ ଜିଣେ

ସୂର୍ଯ୍ୟ ଦେବଙ୍କ ର ସ୍ବର୍ଣ୍ଣ ଆସ୍ତରଣେ।।


ଦେବାଦେବୀ ଙ୍କର ହୁଏ ଆରଧନା 

ଯଥା ରୀତିନୀତି ପୂଜା ଓ ଅର୍ଚ୍ଚନା।।


ଏମିତି ଭାବରେ ଉଷାର ଆଗତ

ସୃଷ୍ଟିକର୍ତ୍ତାଙ୍କ ର ତୁଳୀରେ ଚିତ୍ରିତ।।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍