ସନ୍ଧ୍ୟା ଭ୍ରମଣ
ସନ୍ଧ୍ୟା ଭ୍ରମଣ
ପଶ୍ଚିମ ଗଗନେ ଅସ୍ତାଚଳ ରଵି
ଡୁବିବାକୁ ବସିଲେଣି
କେତେ ମନୋରମ ଚିତ୍ର ଅନୁପମ
ପ୍ରକୃତି ଯେ ରଚିଲାଣି ।।
ପର୍ବତ ଚୂଡାରୁ ନଇଁ ନଇଁ ସୂର୍ଯ୍ୟ
ଗାଆନ୍ତି ମେଲାଣି ଗୀତ
ସୂର୍ଯ୍ୟମୁଖୀ କାନ୍ତ ବିରହ ଜ୍ୱାଳାରେ
ଅଶ୍ରୁଢାଳି ସତେ ମୃତ ।।
ଯଶୋଦା ନନ୍ଦନ ଗୋଗୋଷ୍ଠୁ ଫେରୁଛି
ଗୋପଦାଣ୍ଡ ଉଜାଗର
ହମ୍ଵାରଡି ଦେଇ ଗାଈଗୋରୁମାନେ
ପଶନ୍ତି ଗୁହାଳଘର ।।
ଗାଆଁ ଠାକୁରାଣୀ ଉପୁଳେଇ ପୀଠେ
ଶଙ୍ଖ ଶବ୍ଦ ଶୁଭିଲାଣି
ଘଣ୍ଟ ଘଣ୍ଟା ମାରି ପାଳିଆ ପୂଜାରୀ
ଆଳତୀକୁ ଅର୍ପିଲାଣି ।।
ଥିରି ଥିରି ଚାଲି ଗ୍ରାମ୍ୟ ନବବଧୂ
ସଞ୍ଜଵତୀ ଜାଳିଲାଣି
ତୁଳସୀ ଚଉରା ପାଶେ ମଥାରଖି
ସ୍ୱାମୀ ସୁଖ ମାଗିଲାଣି ।।
ଶାଶୁ ଶଶୁରଙ୍କୁ ଚାଆ ମୁଢ଼ି ଦେଇ
ମାଳିଆ ଖୋଜୁଛି ସାଥି
ନୂଆଵୋହୂ ସିଏ ଟୁପୁରୁ ଟାପୁରୁ
ନଣନ୍ଦ ସାଙ୍ଗରେ ମାତି ।।
କୁନା ମୁନା ଦୁହେଁ ଲଣ୍ଠନ ଲଗେଇ
ପଢିବାକୁ ବସିଲେଣି
ମସିଣାରେ ଜେଜୀ ବୁଢ଼ୀ ଅସୁରୁଣୀ
ଗପପେଡି ଖୋଲିଲାଣି ।।
ଶାରିଆ ମାଆର କାନ୍ଥକୁରାରୁ ଲୋ
ବେସର ଯେ ଵାସିଲାଣି
କୋକଲି ମାଛ ଓ କୋଳଥ ଡାଲିରେ
ଅଗଣା ମହକିଲାଣି ।।
ଯୁବତୀରସିଆ କାମିନୀରଙ୍କା ସେ
ଗଉଡ଼ ଟୋକାକୁ ଦେଖ
କୁଞ୍ଜଵନେ ରାସ ରଚିବାକୁ ବ୍ୟଗ୍ର
ରାଧାକୁ ପକାଏ ଡାକ ।।
ବଇଁଶୀର ସ୍ୱର ଶୁଣି ଯେ ଅଧିର
ରାଧା କଳସୀକୁ ଧରେ
ଯିବାକୁ ଯମୁନା କଲାଣି ବାହାନା
କାହ୍ନୁକୁ ଲୋ ଝୁରି ମରେ ।।
କଦମ୍ବର ବାସ୍ନା ନୀଳନୀଳ ଜ୍ୟୋତ୍ସ୍ନା
ଵିଭୋରିତ ମଧୁବନ
ଜୀଵ ଓ ପରମ ଅପ୍ରାକୃତ ପ୍ରେମ
ଦିଵ୍ୟତ୍ଵର ସେ ମିଳନ ।।
